ବିନିକା: ରାଉରକେଲା ଓ ବଲାଙ୍ଗିର ପରେ ଏବେ ସୁବର୍ଣ୍ଣପୁର ଜିଲ୍ଲାରେ ଜିଏସ୍ଟି ଠକେଇ ସାମ୍ନାକୁ ଆସିଛି। ଜଣେ ଚାଷୀଙ୍କ ନାଁରେ ୧୦ କୋଟି ଟଙ୍କାର ଜିଏସ୍ଟି ଠକେଇ ଅଭିଯୋଗ ଆସିଛି।
ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରୀପାଲି ଭୀମଟିକିରା ପଞ୍ଚାୟତ ସାଲେପାଲି ଗାଁର ଚାଷୀ ନବୀନ ବାଗ ୧୦ କୋଟି ଟଙ୍କାର ଜିଏସ୍ଟି ଠକିଥିବା ନେଇ ଅଭିଯୋଗ ହୋଇଛି। ଋଣ କରିବା ପାଇଁ ୮ ମାସ ତଳେ ନବୀନ ଧାନବସା ଗାଁର ଦିଲ୍ଲୀପ ମେହେରଙ୍କୁ ବ୍ୟାଙ୍କ ଆକାଉଣ୍ଟଠାରୁ ଆରମ୍ଭ କରି ଆଧାର କାର୍ଡ, ଭୋଟର ପରିଚୟ ପତ୍ର, ବିଦ୍ୟୁତ୍ ବିଲ୍ ସହ ସମସ୍ତ କାଗଜ ପତ୍ର ଦେଇଥିଲେ। ତା’ ପରେ ସାଲେପାଲି ଗାଁରେ ବାଗ୍ ଏଣ୍ଡ ବାଗ୍ ନାଁରେ ଏକ କମ୍ପାନୀ ଚାଲୁଛି ବୋଲି ଭବାନୀପାଟଣା ଜିଏସ୍ଟି ଅଫିସ ଜାଣିବାକୁ ପାଇଥିଲା। ଏହାପରେ ଜିଏସ୍ଟି ଅଧିକାରୀମାନେ ଆସି ଚଢ଼ଉ କରିବା ସହ ନବୀନ ବାଗଙ୍କୁ ସମନ କରିଥିଲେ। ତାଙ୍କୁ ଫସା ଯାଇଥିବା ନେଇ ନବୀନ ବାଗ ରାମପୁର ଥାନାକୁ ଯାଇ ଅଭିଯୋଗ କରିଛନ୍ତି।
ସେ ଗୋଟିଏ ଏକର ଜମିରେ ଚାଷ ସହ ରାଜମିସ୍ତ୍ରୀ ଭାବେ କାମ କରି ପରିବାର ଚଳାଉଛନ୍ତି। ହେଲେ ତାଙ୍କ ନାଁରେ ୧୦ କୋଟି ଟଙ୍କାର ଜିଏସ୍ଟି ଠକେଇ ଅଭିଯୋଗ ଆସିବା ପରେ ପରିବାରରେ ଭାଳେଣି ପଡ଼ିଯାଇଛି।