’ବକେୟା ଦରମା ନଦେଲେ ଏଇଠି ମରିବି, ମୋ ଶବ ପଡ଼ିଥିବ ଆଉ ମୋ ସ୍ତ୍ରୀ କାନ୍ଦୁଥିବ’

’ବିଡିଓ ବ୍ୟକ୍ତିଗତ ରାଗ ରଖିକି ଦରମା କରୁନାହାନ୍ତି’ !ଏପରି କହି ଆତ୍ମାହୁତି ଉଦ୍ୟମ କଲେ ଜିଆରଏସ୍

’ଦରମା ନଦେଲେ ଏଇଠି ମରିବି’! ୩ କିମ୍ବା ୪ ଦିନ ଭିତରେ ମୋତେ ଦରମା ନମିଳିଲେ, ବିଡ଼ିଓ ସାର୍ ନିଜେ ଦେଖିବେ ମୋ ଶବ ଏଇଠି ପଡ଼ିଥିବ। ପାଖରେ ମୋର ସ୍ତ୍ରୀ କାନ୍ଦୁଥିବ। ବକେୟା ଦରମା ନପାଇ ଅଭିମାନ ଭରା କଣ୍ଠରେ ଏମିତି କହି କ୍ଷୋଭ ପ୍ରକାଶ କରିଛନ୍ତି ଜଣେ ଜିଆରଏସ୍‌। ଦୀର୍ଘ ୧୦ ମାସ ହେଲା ହେଲା ତାଙ୍କ ଦରମା ବନ୍ଦ କରାଯାଇଛି। ବାରମ୍ବାର ପ୍ରତିଶ୍ରୁତି ଦେବା ପରେ ଦରମା ମିଳୁନି। ବିଡିଓ ବ୍ୟକ୍ତିଗତ ରାଗ ରଖିକି ଦରମା କରୁନାହାନ୍ତି।  ଧୀକ୍ ମୋ ଜୀବନ । ଚାକିରି କରି ବି ପିଲାଙ୍କୁ ଚଳାଇ ପାରୁନି ,ଏମିତି ବାପ ମୁଁ।  ଦରମା ନଦେବା ସହ ଗାଳିଗୁଲଜ କରୁଛନ୍ତି ବିଡିଓ। ବ୍ରହ୍ମକୁ ବାଧିବା ପରେ କିରୋସିନି ଢ଼ାଳି ଜୀବନ ହାରିବା ଛଡ଼ା ଆଉ ଅନ୍ୟଉପାୟ ରହିଲାନି। ଅତିଶୀଘ୍ର ଦରମା ନକଲେ ମୁଁ ଆଉ ବଞ୍ଚିବିନି।’

ବାସୁଦେବପୁର (କିରୀଟି ଦାସ): ବକେୟା ଦରମା ଦାବିରେ ବାସୁଦେବପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଜମେ ଜିଆରଏସ୍ ନିଜ ଦେହରେ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି। କିରାସିନି ଢାଳି ହେବା ପରେ ଦିଆସିଲି ମାରିବା ପୂର୍ବରୁ ସେଠାରେ ଉପସ୍ଥିତ ଥିବା ଲୋକମାନେ ତାଙ୍କୁ କାବୁ କରି ନେଇଛନ୍ତି। ବାସୁଦେବପୁର ଗୁଆଗଢିଆ ପଞ୍ଚାୟତର ଜିଆରଏସ ଉତ୍କଳ ମଲିକ ଦୀର୍ଘ ୧୦ ମାସ ହେଲା ଦରମା ପାଉନଥିବା ଅଭିଯୋଗ କରିଛନ୍ତି।

ବକେୟା ଦରମା ଦେବାକୁ ବାରମ୍ବାର ବିଡିଓଙ୍କୁ କହିବା ସହ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ମଧ୍ୟ ଜଣାଇଥିଲେ। ଫଳ ନମିଳିବାରୁ କିଛି ଦିନ ତଳେ ବ୍ଲକ ପରିସରରେ ଧାରଣାରେ ବସିଥିଲେ। ଘଟଣା ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ମିଳିଥିଲେ ବି, ଅଜିଯାଏ ତାଙ୍କୁ ଦରମା ମିଲିନାହିଁ । ସହକର୍ମୀ ମାନଙ୍କ ଦରମା ହେଉଥିବା ବେଳେ, ତାଙ୍କର ଦରମା କରାଯାଉନଥିବା ଅଭିଯୋଗ କରିଛନ୍ତି।

ଦରମା କରାଯାଉନି ବୋଲି ବିଡିଓଙ୍କୁ ବାରମ୍ୱାର ପଚାରିଥିଲେ ବି ସନ୍ତୋଷ ବିଡ଼ିଓ ଖାଲି ପ୍ରତିଶ୍ରୁତି ଦେଇ ଚାଲିଥିଲେ। ବାରମ୍ୱାର ବ୍ଲକ କାର୍ଯ୍ୟାଳୟରୁ ଫେରି ଅତିଷ୍ଠ ହେବା ପରେ ଆଜି ଏମିତି ଚରମ ପଦକ୍ଷେପ ନେଇଥିବା କହିଛନ୍ତି। ଦୀର୍ଘଦିନ ଧରି ମାନସିକ ନିର୍ଯାତନା ସହି ଆସୁଥିବା ଉତ୍କଳ ଆଜି ଆତ୍ମାହୁତି କରିବାକୁ ଉଦ୍ୟମ କରିଛନ୍ତି।

You might also like