ବାହୁଡ଼ା ଯାତ୍ରା ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଖମ୍ବାକୂଳ ନୃସିଂହନାଥ ମଠ ପକ୍ଷରୁ ବାହୁଡ଼ା ଯାତ୍ରା ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ମଠ ମହନ୍ତ ବିଶ୍ୱଜିତ ଦାଶଙ୍କୁ କିଛି ଲୋକ ବିରୋଧ କରିବାରୁ ଏହି ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି। ଏପରିକି ପୁଲିସ୍‌ ଓ ଉତ୍ତ୍ୟକ୍ତ ଲୋକଙ୍କ ମଧ୍ୟରେ ଠେଲାପେଲା ଓ ଧସ୍ତାଧସ୍ତି ମଧ୍ୟ ହୋଇଥିଲା। ଗଣ୍ଡଗୋଳରେ ପୁଲିସ୍‌ ଭ୍ୟାନ୍‌ର କାଚ ଭାଙ୍ଗି ଯାଇଥିବା ବେଳେ  ୩-୪ ଜଣ ଆହତ ହୋଇଛନ୍ତି।

କିଛି ଦୁର୍ବୃତ୍ତ ମହନ୍ତଙ୍କ ପୈତୃକ ଗାଁର ରୋଷେଇ ଘର ପୋଡ଼ି ଦେଇଥିବା ମଧ୍ୟ ଜଣାପଡ଼ିଛି। ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଥିବାରୁ ୩ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ଏହି ଘଟଣାରେ ପୁଲିସ୍‌ ଜଣକୁ ଅଟକ ରଖିଛି।

ବିରୋଧୀ ଗୋଷ୍ଠୀର ଅଭିଯୋଗ ଅନୁଯାୟୀ, ମହନ୍ତ ମଠ ଧନ ସମ୍ପତ୍ତିର ଚୋରା ଚାଲାଣ କରି ଦେଉଛନ୍ତି। ତେଣୁ ସେ ମଠରୁ ବାହାରି ଯାଆନ୍ତୁ ଏବଂ କୌଣସି କାର୍ଯ୍ୟରେ ସାମିଲ ହୁଅନ୍ତୁ ନାହିଁ।

ଏହାକୁ ନେଇ କୋର୍ଟରେ ମଧ୍ୟ ମାମଲା ହୋଇଥିଲା।  କିନ୍ତୁ କୋର୍ଟଙ୍କ ରାୟ ମହନ୍ତଙ୍କ ସପକ୍ଷରେ ଯାଇଥିଲା।  ଏସବୁ ସତ୍ତ୍ୱେ ବି ମହନ୍ତଙ୍କୁ ସେମାନଙ୍କ ବିରୋଧ ଜାରି ରହିଛି।

You might also like