କରୋନା ଲଗାଇ ଦେଲା କଳି, ୨ ଗୋଷ୍ଠୀ ମୁହାଁମୁହିଁ

ବ୍ରହ୍ମଗିରି: ଗାଁର ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେବାପରେ ଉତ୍ତେଜନା ପ୍ରକାଶ ପାଇବା ସହ ବୋମାମାଡ଼ ହୋଇଛି। ପୁରୀ ଜିଲ୍ଲା ନିସିଭଅଁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁସାରେ, ନିସିଭଅଁର ଗାଁରେ ଜଣେ ବ୍ୟକ୍ତି କିଛି ଦିନ ତଳେ ଦିଲ୍ଲୀରୁ ଫେରି କ୍ୱାରେଣ୍ଟିନ୍‌ ସେଣ୍ଟରରେ ଥିଲେ। କ୍ୱାରେଣ୍ଟିନ୍‌ ଅବଧି ନ ସରିବା ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତି ଜଣକ ୩-୪ ଦନ ପୂର୍ବରୁ ଗାଁକୁ ଚାଲି ଆସିଥିଲେ। ଏହି ସମୟରେ ଗାଁରେ ଲୋକଙ୍କ ସହ ମିଳାମିଶା କରିବା ସହ ଭୋଜିଭାତ ମଧ୍ୟ କରିଥିଲେ ବୋଲି କୁହାଯାଉଛି। ଗତକାଲି ସମ୍ପୃକ୍ତ ବ୍ୟକ୍ତିଙ୍କ କରୋନା ଟେଷ୍ଟ୍‌ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏହାପରେ ତାଙ୍କୁ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

ତେବେ ଗତକାଲି ନିସିଭଅଁର ଗାଁର ଜଣେ ବ୍ୟକ୍ତି ଅନ୍ୟ ଏକ ଗାଁକୁ ତାଙ୍କ ବନ୍ଧୁଙ୍କ ଘରକୁ ଯାଇଥିଲେ।  ଗାଁରେ କରୋନା ପଜିଟିଭ୍‌ ବାହାରିଛି ତେଣୁ ସେ କାହିଁକି ଏହି ଗାଁକୁ ଆସିଲେ ଉକ୍ତ ବ୍ୟକ୍ତି ଜଣକ ଯାଇଥିବା ଗାଁଲୋକେ ଏହା କହି ତାଙ୍କୁ ଗାଁରୁ ଫେରାଇ ଦେଇଥିଲେ। ଯେତେବେଳେ ଏହି ଘଟଣାକୁ ନେଇ ନିସିଭଅଁର ଗାଁର ଉକ୍ତ ବ୍ୟକ୍ତି ଜଣକ ଗାଁ ଲୋକଙ୍କୁ ଏସମ୍ପର୍କରେ କହିଥିଲେ, ଏହାପରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା ଏପରିକି ଉଭୟ ଗୋଷ୍ଠୀ ପକ୍ଷରୁ ବୋମାମାଡ଼ ମଧ୍ୟ ହୋଇଛି।

ବୋମାମାଡ଼ରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ତାଙ୍କୁ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

You might also like