ବରଗାଡ଼ିରେ ବସି ଥାଆନ୍ତେ ହେଲେ କୋକେଇରେ ଶୋଇଲେ….

ବିବାହ ଦିନ ଚାଲିଗଲା ଜୀବନ

ବରଗଡ଼: ବିବାହ ଦିନ ଚାଲିଗଲା ବରଙ୍କ ଜୀବନ। ଯେଉଁଦିନ ବିବାହ କରିଥାନ୍ତେ, ବର ବେଶରେ କନ୍ୟା ପାଖକୁ ଯାଇଥାନ୍ତେ ସେ ଦିନ ଉଠିଲା କୋକେଇ। ଶୁଣିବାକୁ ଯେତେ ହୃଦୟବିଦାରକ ଘଟଣା ବି ସେତେ କଷ୍ଟଦାୟକ । ବରଗଡ଼ ଅତାବିରା ଅଞ୍ଚଳର ଜୀବର୍ଦ୍ଦନ ଭୋଇ, ସମ୍ବଲପୁରର ଏକ ଘରୋଇ କମ୍ପାନିରେ କାମ କରୁଥିଲେ ଜୀବର୍ଦ୍ଦନ। ଗତ ୨୫ ତାରିଖରେ ତାଙ୍କ ବିବାହ ହୋଇଥାନ୍ତା। ହେଲେ ଗତ ୧୭ ତାରିଖରେ ସେ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଯେଉଁ ଦିନ ତାଙ୍କ ବିବାହ ହେବାର ଥିଲା ଅର୍ଥାତ ୨୫ ତାରିଖରେ ତାଙ୍କ ମୃତ୍ୟୁ ହୋଇଥିଲା। ଘଟଣାରେ ପୁରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ପୂର୍ବରୁ ବିବାହରେ ମଧ୍ୟ କରୋନା କଟକଣାକୁ ଆହୁରି କଡ଼ା କଡ଼ି କରାଯାଇଛି। ବାହାଘର ଆଉ ୫୦ ନୁହେଁ ବରଂ ୨୫ ଜଣଙ୍କୁ ଏଣିକି ମିଳିବ ଅନୁମତି। ଏହାସହ ସେଠାରେ କୌଣସି ବ୍ୟକ୍ତି ଭୋଜିଭାତ କରିବେ ନାହିଁ ବରଂ ପ୍ୟାକେଟ୍‌ରେ ଖାଦ୍ୟ ନେଇ ଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ବିବାହ କାର୍ଯ୍ୟକ୍ରମରେ କୌଣସି ବାଜା କିମ୍ବା ରୋସଣି ହେବ ନାହିଁ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। କେବଳ ଏତିକି ନୁହେଁ ବରଂ ରାଜ୍ୟରେ ଲକଡାଉନ୍‌ କଟକଣାକୁ ଆହୁରି ବଢାଇ ଦେଇଛନ୍ତି ରାଜ୍ୟ ସରକାର। ଜୁନ୍‌ ୧ ପର୍ଯ୍ୟନ୍ତ କଟକଣା ବଢାଇଛନ୍ତି ସରକାର।

ତେବେ ରାଜ୍ୟରେ ଲଗାତାର ଭାବରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ଉପରେ ରହୁଛି। ଲକ୍‌ଡାଉନ୍‌ ଓ  ସପ୍ତାହାନ୍ତ ସଟ୍‌ଡାଉନ୍‌ ସତ୍ତ୍ୱେ ମଧ୍ୟ ଦୈନିକ ସଂକ୍ରମଣ ୧୦ ହଜାର ତଳକୁ ଖସି ନଥିବା ଦେଖିବାକୁ ମିଳିଛି। ଆଉ ସଂକ୍ରମଣର ଚେନ୍‌ ଭାଙ୍ଗିବାକୁ ରାଜ୍ୟରେ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁସାରେ, ରାଜ୍ୟରେ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରାଯାଇଛି।

 

You might also like