• translate
Rajalaxmi Sahoo

ଭୁବନେଶ୍ୱର: ଆପଣଙ୍କର ପୁରୁଣା ଗାଡ଼ି ପୁରା ଫିଟ୍ ଅଛି, ଏଣୁ ସ୍କ୍ରାପିଂ ପଲିସିରୁ ବାଦ୍ ପଡ଼ିଯିବେ ଭାବି ଖୁସି ହେଉଛନ୍ତି କି ? ହେଲେ ତାହା ଏତେଟା ସହଜ ନୁହେଁ। କାହିଁକି ନା ପୁରୁଣା ଗାଡ଼ି ଚଲାଇବାକୁ ହେଲେ, ଆପଣଙ୍କୁ ଗଣିବାକୁ ପଡ଼ିବ ମୋଟା ଅଙ୍କର ଗ୍ରୀନ୍‌ ଟ୍ୟାକ୍ସ। ରାଜ୍ୟ ଗୁଡ଼ିକୁ ଏମିତି ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି କେନ୍ଦ୍ର ସରକାର।

ପୁରୁଣା ଓ ପ୍ରଦୂଷଣକାରୀ ଯାନବାହନ ଚଳାଚଳକୁ ନିରୁତ୍ସାହିତ କରିବା ଲାଗି କେନ୍ଦ୍ର ସରକାରଙ୍କ ଗ୍ରୀନ୍ ଟ୍ୟାକ୍ସ ଗାଇଡ୍‌ଲାଇନ୍‌ ନେଇ ଭୁବନେଶ୍ୱରର ଟ୍ରକ୍‌ ମାଲିକ କିଶୋର ନାୟକ କହିଛନ୍ତି, ‘ଗାଡ଼ି ଚାଲିଲେ ମାତ୍ରେ ପର୍‌ମିଟ୍‌, ଟ୍ୟାକ୍ସ, ଫିଟ୍‌ନେସ୍‌, ଇନ୍‌ସ୍ୟୁରାନ୍ସ ଦେବୁ। ଏସବୁ ପରେ ସରକାର ଗ୍ରୀନ୍‌ ଟ୍ୟାକ୍ସ ଆଣି ଲଦିଲେଣି। ଏମିତି ଆମକୁ ଚକ୍ରାନ୍ତ କରି ଜାଲରେ ଫସାଇବେ, ଯେମିତି ଆମେ ବାଧ୍ୟ ହେବୁ ଗାଡ଼ି ବିକ୍ରି କରିବା ପାଇଁ।’

ସେ ଆହୁରି କରିଛନ୍ତି, ଏବେ ତାଙ୍କ ପାଖରେ ୫ଟି ଟ୍ରକ୍ ଅଛି। ଆଉ ସବୁ ଗାଡ଼ି ୧୫ ବର୍ଷରୁ ଅଧିକ ପୁରୁଣା। ଏସବୁ ଗାଡ଼ି ତାଙ୍କୁ ଓ ଅନ୍ୟ ୧୦ ପରିବାରକୁ ରୋଜଗାର ଯୋଗାଉଛି। ଯଦି ସ୍କ୍ରାପିଂ ପଲିସି ଲାଗୁ ହୁଏ, ତା’ହେଲେ ତାଙ୍କର ସବୁ ଗାଡ଼ି ସ୍କ୍ରାପ୍ ହୋଇଯିବ। ଯଦି କୌଣସି ଗାଡ଼ି ଫିଟ୍‌ନେସ୍‌ ଟେଷ୍ଟରେ ପାସ୍ ବି କରିଯାଏ, ତାହା ହେଲେ ଗଣିବାକୁ ପଡ଼ିବ ମୋଟା ଅଙ୍କର ଗ୍ରୀନ୍ ଟ୍ୟାକ୍ସ। ତାଙ୍କର ସବୁ ଗାଡ଼ି ବିକିଲେ ବି ଏବେ ଗୋଟିଏ ନୂଆ ଗାଡ଼ି କିଣିବା ସମ୍ଭବ ନୁହେଁ।’

ଲୋକସଭାରେ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ରଖିଥିବା ଉତ୍ତର କହୁଛି, ଓଡ଼ିଶାରେ ୧୬ ଲକ୍ଷ ୬୧ ହଜାର ୧୭୦ଟି ଗାଡ଼ି ଅଛି। ଯାହାକି ୧୫ ବର୍ଷରୁ ପୁରୁଣା। ସେଗୁଡ଼ିକ ମଧ୍ୟରୁ ୮ ଲକ୍ଷ ୩୩ ହଜାର ୬୩ଟି ଯାନବାହନ ୧୫ରୁ ୨୦ ବର୍ଷ ପୁରୁଣା ହୋଇ ଥିବାବେଳେ ଅନ୍ୟ ୮ ଲକ୍ଷ ୨୮ ହଜାର ୧୦୭ଟି ଗାଡ଼ି ୨୦ ବର୍ଷରୁ ଅଧିକ ପୁରୁଣା।

ଗ୍ରୀନ୍ ଟ୍ୟାକ୍ସ ଲାଗୁହେବା କିଛି ଭୁଲ୍‌ କଥା ନୁହେଁ। କିନ୍ତୁ ଅନେକ ଲୋକ ବାଧ୍ୟବାଧକତାରେ ପୁରୁଣା ଗାଡ଼ି ଚଳାଇଥାନ୍ତି। ଏଣୁ ବ୍ୟକ୍ତିଗତ ଯାନବାହନ କ୍ଷେତ୍ରରେ ଗ୍ରୀନ୍ ଟ୍ୟାକ୍ସ ଲାଗୁ ପାଇଁ ଗାଡ଼ି କେତେ ବର୍ଷ ଚାଳଚଳ କରିଛି ଏହା ବିଚାରକୁ ନିଆଯିବା ଉଚିତ୍‌ ବୋଲି ବିଶେଷଜ୍ଞ କହିଛନ୍ତି।

ସେହିପରି ଟ୍ରାନ୍ସପୋର୍ଟ ସଂଘ କହୁଛି, ଗୋଟିଏ ପଟେ ପୁରୁଣା ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ସ୍କ୍ରାପିଂ ପଲିସି ଆଣିବା କଥା କୁହାଯାଉଥିବା ବେଳେ ଗ୍ରୀନ୍ ଟ୍ୟାକ୍ସ ବିଷୟରେ ସରକାରଙ୍କ ମନ୍ତବ୍ୟ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି। ହେଲେ ପୁରୁଣା ଗାଡ଼ି ଚଳାଚଳକୁ ନିରୁତ୍ସାହିତ କରିବା ଲାଗି ଓଡ଼ିଶା ସରକାର ଢେର୍ ପୂର୍ବରୁ ଗ୍ରୀନ୍ ଟ୍ୟାକ୍ସ ଲଦି ଆସୁଥିବା ରାଜ୍ୟ ପରିବହନ ସଚିବ ମଧୁସୂଦନ ପାଢ଼ୀ କହିଛନ୍ତି। ଓଡ଼ିଶା ଏବେ ବ୍ୟକ୍ତିଗତ ଗାଡ଼ି ଉପରେ ୧ ହଜାର ଟଙ୍କାର ଗ୍ରୀନ୍ ଟ୍ୟାକ୍ସ ବସାଉଥିବା ବେଳେ ବାଣିଜ୍ୟିକ ଯାନ ପାଇଁ ୪ ହଜାର ଟଙ୍କା ରଖାଯାଇଛି।

Other Stories