ସବୁଜିମାରେ ହସୁଛି ଡାକ୍ତରଖାନା ପରିସର; ଅଧା କଷ୍ଟ ଭୁଲି ଯାଉଛନ୍ତି ରୋଗୀ

ଉମରକୋଟ: ମେଡିକାଲରେ ସୃଷ୍ଟି ହେଉଛି ପାର୍କର ଭ୍ରମ। ଫୁଲ ବଗିଚା ସାଙ୍ଗକୁ ରହିଛି ଓପନ ଜିମ୍ ଓ ପିଲାଙ୍କ ଖେଳକୁଦ ସାମଗ୍ର॥ ମେଡିକାଲ ହତା ଭିତରେ ପଶୁ ପଶୁ ଏସବୁ ଦେଖି ସତେ ଯେପରି ଅଧା ରୋଗ ଭଲ ହୋଇଯିବ ! ମନ ହାଲ୍‌କା ହୋଇଯିବ। ଏମିତି ଡାକ୍ତରଖାନା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାର ଉମରକୋଟରେ।

ପୂଜାରୀଗୁଡା ଡାକ୍ତରଖାନାରେ ପୁରୁଣା ଟାୟାରରେ ଲାଗିଛି ଗଛ

ଉମରକୋଟର ପୂଜାରୀଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର। ବଗିଚାରେ ହସୁଛି ରଙ୍ଗ ବେରଙ୍ଗର ଫୁଲ । ଗୋଲାପ, ସେବତି, ଜିନିଆ ଭଳି ଭଳିକି ଭଳି ଫୁଲ । କିଛି ପୁରୁଣା ଟାୟାରକୁ ବ୍ୟବହାର କରି ଲଗାଯାଇଛି ଗଛ। ଆଉ ଗଢ଼ିଉଠିଛି ଏଇ ଛୋଟିଆ ପାର୍କ।  ସ୍ୱାସ୍ଥ୍ୟକେନ୍ଦ୍ରକୁ ଏପରି ଢଙ୍ଗରେ ସଜାଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ ।

ମେଡିକାଲ ପରିସରରେ ଖାଲି ଫୁଲଗଛ କାହିଁକି କିଚେନ୍ ଗାର୍ଡେନ ଏବଂ ଔଷଧିୟ ବୃକ୍ଷ ବି ଲଗାଯାଇଛି । ଯାହାକୁ ଦେଖି ଏଠାକୁ ଆସୁଥିବା ରୋଗୀମାନେ ବି ଖୁସି ହୋଇ ଯାଆନ୍ତି। କାୟାକଳ୍ପ ଯୋଜନାରେ ମେଡିକାଲ ପରିସରକୁ ଏପରି ସୁନ୍ଦର ଭାବେ ସଜାଯାଇଛି । ମେଡିକାଲ ଷ୍ଟାଫ୍ ମାନେ ଏହାର ବିଶେଷ ଯତ୍ନ ନେବା ସହ ରୋଗୀସେବା ମଧ୍ୟ ସୁଚାରୁ ରୂପେ ତୁଲାଇଥାନ୍ତି। ମନଲୋଭା ପରିବେଶରେ ପିଲାଙ୍କ ପାଇଁ ବିଭିନ୍ନ ଦୋଳି ଏବଂ ଓପନ ଜିମ୍ ବି ରହିଛି । ବିନା ଶୁଳ୍କରେ ରୋଗୀମାନେ ଚିକିତ୍ସା ସୁବିଧା ପାଇବା ସହ ଏଠାକାର ପରିବେଶକୁ ଦେଖି ଆତ୍ମସନ୍ତୋଷ ଲାଭ କରିଥାନ୍ତି।

ସବୁଜିମାମୟ ହୋଇଛି ଡାକ୍ତରଖାନା ପରିସର

ଅନେକ ସମୟରେ ସରକାରୀ ମେଡିକାଲର  ବିଭିନ୍ନ ଅବ୍ୟବସ୍ଥା ନେଇ ଅଭିଯୋଗ ସାମ୍ନାକୁ ଆସୁଥିବାବେଳେ ପୂଜାରୀଗୁଡ଼ା ମେଡିକାଲ ଏହି ଧାରଣା ବଦଳାଇ ଦେଇଛି ।

You might also like