ମାତ୍ର ୬ ମିନିଟ୍‌ରେ ନୟାପଲ୍ଲୀରୁ ଏୟାରପୋର୍ଟ ପହଞ୍ଚିଲା ଆମ୍ବୁଲାନ୍ସ

ଭୁବନେଶ୍ୱର: ଗୁରୁତର ରୋଗୀଙ୍କ ପାଇଁ ଭୁବନେଶ୍ୱରରେ କରାଗଲା ଗ୍ରୀନ୍‌ କରିଡର୍। ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ଯାଏ ଗ୍ରୀନ୍ କରିଡର୍‌ରେ ଗଲା ଆମ୍ବୁଲାନ୍ସ। ଜଣେ ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ହାଇଦ୍ରାବାଦ ନିଆଯିବା ଲାଗି ଭୁବନେଶ୍ୱରରେ ଏହି ଗ୍ରୀନ୍‌ କରିଡର୍ କରାଯାଇଥିଲା।

ନୟାପଲ୍ଲୀ, ସିଆରପି, ଏଜି ଛକ ଦେଇ ଭୁବନେଶ୍ୱର ବିମାନ ବନ୍ଦର ଯାଏ ଆମ୍ବୁଲାନ୍ସକୁ କଡ଼ା ସୁରକ୍ଷା ଭିତରେ ନିଆଯାଇଥିଲା। ପ୍ରାୟ ସାଢ଼େ ୬ କିଲୋମିଟର୍ ରାସ୍ତାର ଟ୍ରାଫିକ୍‌କୁ ଅଟକା ଯାଇଥିଲା। ଦୁଇ ପାର୍ଶ୍ୱରୁ ଗାଡ଼ିକୁ ବନ୍ଦ କରି ଟ୍ରାଫିକ୍‌କୁ କ୍ଲିଅର୍ କରିଥିଲା ପୋଲିସ୍। ଫଳରେ ମାତ୍ର ୬ ମିନିଟ୍‌ରେ ଆମ୍ବୁଲାନ୍ସ ନୟାପଲ୍ଲୀର ଏକ ହସ୍ପିଟାଲ୍‌ରୁ ବିମାନ ବନ୍ଦରରେ ପହଞ୍ଚିଥିଲା। ଏହାପରେ ଭୁବନେଶ୍ୱର ବିମାନ ବନ୍ଦରରୁ ହାଇଦ୍ରାବାଦ ବିମାନ ବନ୍ଦରକୁ ଏୟାର ଆମ୍ବୁଲାନ୍ସ ଯୋଗେ ନିଆଯାଇଛି।

ସୂଚନା ମୁତାବକ, ପୁରୀ ଜିଲ୍ଲାର ଏହି ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ହାଇଦ୍ରାବାଦ ନିଆଯିବା ଲାଗି ଭୁବନେଶ୍ୱରରେ ଏହି ଗ୍ରୀନ୍‌ କରିଡର୍ କରାଯାଇଥିଲା। ଫୁସ୍‌ଫୁସ୍‌ରେ ସଂକ୍ରମଣ ହେବାରୁ ଉକ୍ତ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। କରୋନାରୁ ସୁସ୍ଥ ହେବା ପରେ ତାଙ୍କ ଶରୀରରେ କୃତ୍ରିମ ଫୁସ୍‌ଫୁସ୍ ଲଗା ଯାଇଛି। ଅଧିକ ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦର ଏକ ହସ୍ପିଟାଲ ନିଆଯାଉଛି। ହାଇଦ୍ରାବାଦ୍‌ରେ ବି ସମ୍ପୃକ୍ତ ରୋଗୀଙ୍କ ପାଇଁ ଗ୍ରୀନ୍ କରିଡର୍ ବ୍ୟବସ୍ଥା ହୋଇଛି। ସେଠକାର ଏକ ଘରୋଇ ହସ୍ପିଟାଲ୍‌ରେ ତାଙ୍କର ଚିକିତ୍ସା କରାଯିବ।

You might also like