ଭୁବନେଶ୍ୱର: କରୋନା ଚିକିତ୍ସାରେ ଅବ୍ୟବସ୍ଥା ନେଇ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଅଡିଓ ଘଟଣାରେ ଗିରଫ ହୋଇଥିବା ଲକ୍ଷ୍ମୀକାନ୍ତ ବେହେରା ଓ ବିଶ୍ୱଜିତ ମହାନ୍ତିଙ୍କୁ ଜାମିନ ମିଳିଛି। ଭୁବନେଶ୍ୱର SDJM କୋର୍ଟ ଉଭୟଙ୍କୁ ଜାମିନ ପ୍ରଦାନ କରିଛନ୍ତି।
ଜଣେ ଜାମିନଦାର ଓ ୧୦ ହଜାର ଟଙ୍କା ମୁଚାଲିକାରେ ଜାମିନ ପ୍ରଦାନ କରାଯାଇଛି। ଜାମିନ ନେଇ ଲକ୍ଷ୍ମୀକାନ୍ତଙ୍କ ଓକିଲ ଶିଳାଭଦ୍ର ଶାସ୍ତ୍ରୀ ସୂଚନା ଦେଇଛନ୍ତି। ପୋଲିସ୍ ଉଭୟଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଥିଲା। ତେବେ ରିମାଣ୍ଡ ସରିବା ପୂର୍ବରୁ ଉଭୟଙ୍କୁ ଜାମିନ୍ ମିଳିଛି।
କରୋନା ଅନୁଭୂତି ସଂପର୍କିତ ଅଡିଓ ନେଇ ପୋଲିସ୍ ଗିରଫ କରିଥିଲା। ଉଭୟଙ୍କୁ ରାତି ଅଧିଆ ଉଠାଇ ନେଇ ଗିରଫ କରିଥିଲା ପୋଲିସ୍। ବ୍ୟକ୍ତିଗତ ଅନୁଭୂତି କଥାକୁ ନେଇ ଗିରଫ କରାଯିବାକୁ ନାପସନ୍ଦ କରାଯାଇଥିଲା। ରାଜ୍ୟବାସୀ ପୋଲିସର ଏଭଳି କାର୍ଯ୍ୟକୁ ନିନ୍ଦା କରିଥିଲେ।
କାଲି ବିଜେପି ଓ କଂଗ୍ରେସ ଟିମ୍ ଲକ୍ଷ୍ମୀକାନ୍ତଙ୍କ ପରିବାରକୁ ଭେଟିଥିଲେ। ପରିବାରକୁ ପ୍ରବୋଧନା ସହ ସରକାରଙ୍କ ପଦକ୍ଷେପକୁ ନିନ୍ଦା କରିଥିଲେ।