ବାଲେଶ୍ୱର: ଖୁବ୍ କମ ଦିନରେ ଅଧିକ ରୋଜଗାର ଆଶାରେ ବାଲେଶ୍ୱର ଜିଲ୍ଲାର ବହୁ ଲୋକ ନିଜ କଷ୍ଟ ଉପାର୍ଜ୍ଜିତ ଧନକୁ ଚିଟ୍ ଫଣ୍ଡ ସଂସ୍ଥାରେ ଲଗାଇଥିଲେ। ହେଲେ ଠକାମୀର ଶିକାର ହୋଇଥିବା ଜାଣିବା ପରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ, ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦୀର୍ଘ ଦିନର ଆନ୍ଦୋଳନ ପରେ କ୍ଷତିଗ୍ରସ୍ତଙ୍କୁ ସନ୍ତୁଷ୍ଟ କରି ଭୋଟ ହାତେଇବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ରୋଜଭ୍ୟାଲି ଚିଟଫଣ୍ଡରେ ଟଙ୍କା ରଖି କ୍ଷତିଗ୍ରସ୍ତ ହୋଇଥିବା କ୍ଷୁଦ୍ର ଜମାକାରୀଙ୍କୁ ନିର୍ବାଚନ ପୂର୍ବରୁ ସରକାର ଟଙ୍କା ଫେରସ୍ତ ପ୍ରକ୍ରିୟା ଗତ ୪ ତାରିଖରୁ ଆରମ୍ଭ ହୋଇଛି । ଏନେଇ ଜିଲ୍ଲା ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି ।
ବାଲେଶ୍ୱର ଜିଲ୍ଲାରେ ମୋଟ ୩୪ ହଜାର ୪୨ ଜଣ କ୍ଷୁଦ୍ର ଜମାକାରୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ମୋଟ ୧୨ କୋଟି ୪୧ ଲକ୍ଷ ୮୪ ହଜାର ୩୫୩ ଟଙ୍କା ଫେରସ୍ତ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି। କ୍ଷତିଗ୍ରସ୍ତଙ୍କୁ ସନ୍ତୁଷ୍ଟ କରି ଭୋଟ ହାତେଇବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବା ବେଳେ ଏହାକୁ ନେଇ ଏବେ ବୃହତ ଜମାକାରୀଙ୍କ ମଧ୍ୟରେ କିନ୍ତୁ ଅସନ୍ତୋଷ ଦେଖାଦେଇଛି । ଏମିତିକି ଗତ ୧୯ ତାରିଖରେ ଭୁବନେଶ୍ୱରରେ ଧାରଣା ବସିଥିବା ଚିଟଫଣ୍ଡ କ୍ଷତିଗ୍ରସ୍ତ ମିଳିତ ମଞ୍ଚକୁ ସରକାର ଅଧିକ ସମୟ ମାଗିଥିବାରୁ ବୃହତ୍ତ ଜମାକାରୀମାନେ ଅନିଶ୍ଚିତତା ଭିତରେ ଅଛନ୍ତି ।
ବାଲେଶ୍ୱର ଜିଲ୍ଲା ବରପଦା ଗାଁର ବହୁ ଲୋକ ରୋଜଭ୍ୟାଲି ଚିଟଫଣ୍ଡରେ ଟଙ୍କା ଜମା ରଖ ଠକାମୀର ଶିକାର ହୋଇଥିଲେ । ୮ ବର୍ଷ ତଳେ ଏମାନେ ରୋଜଭ୍ୟାଲି ଚିଟଫଣ୍ଡ ସଂସ୍ଥାରେ ଟଙ୍କା ଜମା କରିଥିଲେ। ଆଶା ଥିଲା ଦିପଇସା ଅଧିକ ମିଳିଲେ କିଛି କାମରେ ଲଗାଇବେ। ତେବେ ସଂସ୍ଥା ବନ୍ଦ ହେବା ପରେ ଟଙ୍କା ଫେରି ପାଇବା ଲାଗି ସେମାନେ ରାଜ୍ୟ ସରକାରଙ୍କ ଉପରେ ସେମାନେ ଭରଷା ରଖିଥିଲେ । ହେଲେ ଏହାରି ଭିତରେ ୮ବର୍ଷ ବିତିଯାଇଥିଲେ ମଧ୍ୟ ବୃହତ ଜମାକାରୀ କେବେ ଚିହ୍ନଟ ହେବେ ଏବଂ କେବେ ଲୋକେ ଟଙ୍କା ଫେରସ୍ତ ପାଇବେ ସେନେଇ ଚିନ୍ତାରେ ପଡିଛନ୍ତି ଜମାକାରୀ ।
ସେପଟେ ବୃହତ ଜମାକାରୀଙ୍କୁ ଚିହ୍ନଟ ପାଇଁ ଗତ ୧୯ ତାରିଖରେ ଚିଟଫଣ୍ଡ କ୍ଷତିଗ୍ରସ୍ତ ମିଳିତ ମଞ୍ଚ ପକ୍ଷରୁ ଭୁବନେଶ୍ୱରରେ ଧାରଣା ଦିଆଯାଇଥିଲା । ତେବେ ସରକାର ଅଧିକ ସମୟ ମାଗିଥିବାରୁ ଏବେବି ଅନିଶ୍ଚିତତା ଭିତରେ ରହିଛନ୍ତି ବୃହତ ଜମାକାରୀ।