କରୋନା ସତର୍କତା; ୫ଟି ହୋଟେଲରେ ଚଢ଼ଉ

ଭୁବନେଶ୍ୱର:କରୋନା ଭାଇରସ୍‌ ମୁକାବିଲା ପାଇଁ ରାଜ୍ୟ ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ମଲ, ସିନେମାହଲ ବନ୍ଦ ରଖିବା ସହ ଲୋକଙ୍କୁ ସତର୍କ ରହିବା ପାଇଁ ଆହ୍ୱାନ ଦିଆଯାଉଛି। ବିଦେଶରୁ ଆସିଥିବା ଲୋକେ ରାଜ୍ୟ ସରକାରଙ୍କ ନିକଟରେ ୪୮ ଘଣ୍ଟା ମଧ୍ୟରେ ପଞ୍ଜୀକରଣ କରିବା ପାଇଁ କଟକଣା ଜାରି କରାଯାଇଛି।

ଏହାବ୍ୟତୀତ ବାହାର ରାଜ୍ୟରୁ ଆସିଥିବା ପର୍ଯ୍ୟଟକ ହୋଟେଲ ଓ ଗେଷ୍ଟ ହାଉସରେ ରହୁଥିଲେ ସରକାରଙ୍କୁ ସୂଚନା ଦେବାକୁ ହୋଟେଲ ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସତ୍ତ୍ୱେ କିଛି ହୋଟେଲ ଓ ଗେଷ୍ଟହାଉସ ମାଲିକ ସରକାରଙ୍କ ଏହି ନିର୍ଦ୍ଦେଶକୁ ଅବମାନନା କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ଗେଷ୍ଟ ହାଉସକୁ ସିଲ୍ କରାଯାଇଛି ।

ଆଜି ବିଏମ୍‌ସି, ବିଡିଓ ଓ କମିଶନରେଟ ପୋଲିସ ପକ୍ଷରୁ ବିଭିନ୍ନ ହୋଟେଲ ଓ ଗେଷ୍ଟହାଉସ ଉପରେ ମିଳିତ ଚଢ଼ାଉ କରାଯାଇଥିଲା। ଭୁବନେଶ୍ୱରର ୫ଟି ହୋଟେଲ ଉପରେ ଚଢ଼ଉ ହୋଇଥିବା ବେଳେ ଜୟଦେବ ବିହାର ସ୍ଥିତ ଏକ ଗେଷ୍ଟ ହାଉସକୁ ସିଲ୍ କରାଯାଇଛି ।

ମହାରାଷ୍ଟ୍ର ଓ ଦିଲ୍ଲୀରୁ ଆସିଥିବା ପର୍ଯ୍ୟଟକ ସେଠାରେ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ରହିଥିଲେ । ତେବେ ଗେଷ୍ଟ ହାଉସ ପକ୍ଷରୁ ପ୍ରଶାସନକୁ ଏନେଇ ସୂଚନା ଦିଆଯାଇନଥିବା ଅଭିଯୋଗ ହୋଇଛି । କରୋନା ସତର୍କତା ଭାବେ ବିଦେଶୀ ଓ ବାହାର ରାଜ୍ୟରୁ ଆସିଥିବା ପର୍ଯ୍ୟଟକଙ୍କ ବିଷୟରେ ସୂଚନା ଦେବାକୁ ସେମାନଙ୍କୁ ନିର୍ଦ୍ଦେଶ ଥିଲେ ବି ଏହାକୁ ଅବମାନନା କରିଥିବାରୁ  ଏପରି ପଦକ୍ଷେପ ଗ୍ରହଣ କରାଯାଇଛି ।

You might also like