ନିର୍ବାଚନ ଜିତିବା ପାଇଁ ହୋଇଥିଲା କାଳିଆ ଯୋଜନା: ତାରା

ଭୁବନେଶ୍ୱର: କାଳିଆ ଯୋଜନାରେ ଅଯୋଗ୍ୟଙ୍କ ସଂଖ୍ୟା ଲକ୍ଷେ ଟପିଛି। ଆଜି ବିଧାସନଭାରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନରେ କୃଷି ମନ୍ତ୍ରୀ ଅରୁଣ ସାହୁ ଏହି ଉତ୍ତର ରଖିଛନ୍ତି। କାଳିଆରେ ମୋଟ ୧ ଲକ୍ଷ ୪ ହଜାର ୭୬ ଜଣ ଅଯୋଗ୍ୟ ଘୋଷିତ ହୋଇଥିବା ମନ୍ତ୍ରୀ ଉତ୍ତର ରଖିଛନ୍ତି। ସେହିପରି ୫୬ ଲକ୍ଷ ୧୪ ହଜାର ୭୦୭ ଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି। ସେପଟେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପ୍ରଶ୍ନର ଉତ୍ତର ରଖି ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ୩୬ ଲକ୍ଷ ୫୦ ହଜାର ୮୭୩ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୭ ଲକ୍ଷ ୪ ହଜାର ୭୩୩ ଜଣ ଭୂମିହୀନ କୃଷକ ପରିବାର ଉପକୃତ ହୋଇଥିବା କୃଷି ମନ୍ତ୍ରୀ କହିଛନ୍ତି।

ତେବେ ଯେଉଁମାନେ ଏଯାଏଁ ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରି ନାହାନ୍ତି। ସେମାନେ କାଳିଆ ୱେବ୍ ପୋର୍ଟାଲରେ ଆବଶ୍ୟକ ଡକ୍ୟୁମେଣ୍ଟ୍ ସହ ଅନଲାଇନ୍ ଆବେଦନ କରିପାରିବେ। ସେହିଭଳି ଭାଗଚାଷୀଙ୍କ ଲାଗି ଉଦ୍ଦିଷ୍ଟ ବଳରାମ ଯୋଜନା ପାଇଁ ଯୋଗ୍ୟ ବିବେଚିତ ଚାଷୀଙ୍କ ତାଲିକା ପ୍ରସ୍ତୁତି ପ୍ରକ୍ରିୟା ଚାଲିଥିବା କୃଷି ମନ୍ତ୍ରୀ କହିଛନ୍ତି।

ନିର୍ବାଚନ ଜିତିବା ପାଇଁ ହଡ଼ବଡ଼ି ଭାବେ ଏସବୁ କାମ କରାଯାଇଛି। ସରକାରୀ ହିସାବରେ ସିନା ଲକ୍ଷେ କିନ୍ତୁ ବେସରକାରୀ ଭାବେ କାଳିଆ ଯୋଜନାରେ ୫ଲକ୍ଷ ଅଯୋଗ୍ୟ ହିତାଧିକାରୀ ଅଛନ୍ତି। ଏମିତି ମିଛ କହିକି ଜିତନ୍ତି।
-ତାରାପ୍ରସାଦ ବାହିନୀପତି, କଂଗ୍ରେସ ବିଧାୟକ
ଯେଉଁମାନେ ଅଯୋଗ୍ୟ ଚାଷୀ ସେମାନଙ୍କୁ ପଇସା ମିଳିଛି, ତାହା ହେଲେ ଯେଉଁ ଅଧିକାରୀ ଏହି ତାଲିକା କରିଛି, ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା କଥା। କେବଳ ଲାଞ୍ଚ ନିଅ ଆଉ ଭୋଟ୍ ଦିଅ। ଏହି କତାରେ ବିଜେଡି ସରକାର ଚାଲିଛି। ଏହାହିଁ ସେମାନଙ୍କ ଭୋଟ୍ ନେବାର ପଦ୍ଧତି।
-ଜୟନାରାୟଣ ମିଶ୍ର, ବିଜେପି ବିଧାୟକ
କେଉଁଠି ନା କେଉଁଠି ବ୍ୟତିକ୍ରମ ହୋଇଛି, ଏହା ମୁଁ କହିବାକୁ ଚାହୁଁନି। କିନ୍ତୁ ଆମେ ଯେଉଁଠି ଯାଉଁଛୁ, ସେଠାକାର ଚାଷୀ କାଳିଆ ଟଙ୍କା ପାଇଛନ୍ତି ଓ ଖୁସି ଅଛନ୍ତି।
-ଉମାକାନ୍ତ ସାମନ୍ତରାୟ, ବିଜେଡି ବିଧାୟକ
You might also like