ପୁରୀ : ପଟ୍ଟଚିତ୍ର ପାଇଁ ସାରା ବିଶ୍ବରେ ପ୍ରସିଦ୍ଧି ଲାଭ କରିଥିବା ପୁରୀ ଜିଲ୍ଲାର ରଘୁରାଜପୁରର ଶିଳ୍ପୀଙ୍କୁ ଆର୍ଥିକ ସହାୟତା । ବିଶ୍ବ ଐତିହ୍ୟ ଗ୍ରାମର ମାନ୍ୟତା ପାଇଥିବା ଏହି ଗାଁର ଶିଳ୍ପୀଙ୍କ ପ୍ରତି ପରିବାରକୁ ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି ସରକାର । ଗତକାଲି ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଅର୍ଥରାଶି ପ୍ରଦାନ କରିବା ସହ ରଘୁରାଜପୁରକୁ ଓଡ଼ିଶାର ଗର୍ବ ଓ ଗୌରବ ବୋଲି ଅଭିହିତ କରିଥିଲେ ମୁଖ୍ୟମନ୍ତ୍ରୀ ।
କରୋନା ସମୟରେ ଏହି ଗାଁର ଲୋକଙ୍କୁ ସାହାଯ୍ୟ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ ହୋଇଥିଲା ଅନନ୍ୟ ଉଦ୍ୟମ । ମହାମାରୀ ଯୋଗୁଁ ପୁରୀକୁ ପର୍ଯ୍ୟଟକ ଆସୁନଥିବା ବେଳେ ସେମାନଙ୍କ ପଟ୍ଟଚିତ୍ର ଓ କଳାସାମଗ୍ରୀ ବିକ୍ରି ହୋଇପାରୁନଥିଲା । ଜୁନ୍ ୮ ତାରିଖରୁ ୧୬ ତାରିଖ ଯାଏଁ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ଓଡିଶା ଲଳିତକଳା ଏକାଡେମୀ ପକ୍ଷରୁ ଆରମ୍ଭ ହୋଇଥିଲା ପାରମ୍ପରିକ ଭିତ୍ତିଚିତ୍ର ଶିବିର ସତ୍ପରଙ୍ଗ । ଏଥିରେ ଗାଁର ୧୫୦ ପରିବାର ଭାଗ ନେଇଥିଲେ ।
ପ୍ରତ୍ୟେକ ପରିବାର ନିଜ ଘର କାନ୍ଥରେ ୫୦ ବର୍ଗ ଫୁଟ ଅଞ୍ଚଳରେ ପାରମ୍ପରିକ ଚିତ୍ର ଅଙ୍କନ କରିଥିଲେ । ଆ ଉ ଏହି କଳାକୃତୀକୁ ସ୍ବୀକୃତି ସ୍ବରୂପ ପ୍ରତି ପରିବାରକୁ ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ ।