ଖରା ପାଇଁ ସକାଳୁଆ ସ୍କୁଲ

ଭୁବନେଶ୍ୱର: ଖରା ପାଇଁ ସକାଳୁଆ ସ୍କୁଲ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ନବମ ଓ ଏକାଦଶ ଶ୍ରେଣୀ ପାଇଁ ସକାଳ ୭ଟାରୁ ୯ଟା ସ୍କୁଲ ଓ ଦଶମ ଏବଂ ଦ୍ୱାଦଶ ପାଇଁ ସକାଳ ୯ଟାରୁ ଦିନ ୧ଟା ସ୍କୁଲ କରାଯାଇଛି। ଏନେଇ ସବୁ ଡିଇଓମାନଙ୍କୁ ଗଣଶିକ୍ଷା ଅତିରିକ୍ତ ସଚିବ ଚିଠି କରିଛନ୍ତି। କିଛି ଦିନ ଧରି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢିବାରେ ଲାଗିଛି। ଚଳିତ ବର୍ଷ ମେ’ ୩ରୁ ୧୫ ତାରିଖ ଯାଏଁ ପରୀକ୍ଷା ଚାଲିବ। ତେବେ ପିଲାଙ୍କ ପାଠପଢା ସୂଚାରୁ ରୂପେ ହୋଇପାରିବ, ଏନେଇ ସରକାରଙ୍କ ପକ୍ଷରୁ ପ୍ରାକ୍ ପ୍ରସ୍ତୁତି କରାଯାଉଛି।

ସେହିପରି ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ। ଗ୍ରୀଷ୍ମ ପ୍ରବାହ ଜନିତ ଅସୁସ୍ଥତା ସଂପର୍କରେ ଲୋକଙ୍କୁ ସଚେତନ କରିବାକୁ ଉଲ୍ଲେଖ ରହିଛି। ସଚେତନତା କାର୍ଯ୍ୟରେ ସାମାଜିକ ସଂସ୍ଥାକୁ ସାମିଲ ଲାଗି ପରାମର୍ଶ ଦେଇଥିଲେ।

ସେପଟେ ଚଳିତବର୍ଷ ଖରାଦିନେ ମଧ୍ୟ ସ୍କୁଲ ଓ କଲେଜ ଖୋଲା ରହିପାରେ। କୋଭିଡ୍ ଯୋଗୁଁ ଶିକ୍ଷାରେ ଉପୁଜିଥିବା କ୍ଷତି ଭରଣା ଲାଗି ଖୋଲା ରହିପାରେ। ସେଥିପାଇଁ ଶିକ୍ଷାନୁଷ୍ଠାନରେ ଜଳ ବ୍ୟବସ୍ଥା ଉପରେ ଦୃଷ୍ଟି ଦେବାକୁ ଚିଠିରେ ଉଲ୍ଲେଖ ରହିଛି।

ମାଘ ମାସ ସରିନି, ହେଲେ ପାରଦ ୪୦ ଡିଗ୍ରୀ ସେଲସିୟସ ଟପିଲାଣି। ଆଜି ଭୁବନେଶ୍ୱର ତାପମାତ୍ରା ୪୦.୪ ଡିଗ୍ରୀ ସେଲସିୟସ ରହିଛି। ଗତ୨୪ ତାରିଖରେ ରାଜଧାନୀରେ ତାପମାତ୍ରା ୩୭ ଦଶମିକ ୧ ଡିଗ୍ରୀ ଥିଲା। ଗତ ୨୫ ତାରଖରେ ଭୁବନେଶ୍ୱରର ତାପମାତ୍ରା ୩୮ ଡିଗ୍ରୀ ପାର୍ କରିଥିଲା। ଗତକାଲି ଭୁବନେଶ୍ୱର ତାପମାତ୍ରା ୩୯ ଡିଗ୍ରୀ ପାର କରିଥିଲା। ଲଗାତର ତିନ ଦିନ ହେଲା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ୱର ପାଲଟିଛି।  ପ୍ରବଳ ଗରମ ଆରମ୍ଭ ହୋଇସାରିଛି।

You might also like