ଭୁବନେଶ୍ୱର: କରୋନା ନିୟନ୍ତ୍ରଣ ପାଇଁ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ବିଶେଷକରି କରି ଭୁବନେଶ୍ୱରରେ କରୋନା ସ୍ଥିତି ସବୁଠାରୁ ଖରାପ। ରାଜ୍ୟରେ ମୋଟ ୬୦ ଆକ୍ରାନ୍ତଙ୍କୁ ଚିହ୍ନଟ କରା ଯାଇଥିବାବେଳେ କେବଳ  ଭୁବନେଶ୍ୱରରେ ଅଛନ୍ତି ୪୬। ଏହାକୁ ଦଷ୍ଟିରେ ରଖି  ଭୁବନେଶ୍ୱର ମହାନଗର ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର।

ଭୁବନେଶ୍ୱରକୁ ୩ ଜୋନ୍‌ରେ ବିଭକ୍ତ କରାଯାଇଛି। ଏହି ତିନି ଜୋନ୍‌ର ଦାୟିତ୍ୱ ୬ଜଣ ବରିଷ୍ଠ ଅଧିକାରୀଙ୍କୁ ଦିଆଯାଇଛି।  ବିଏମ୍‌ସି ଅଞ୍ଚଳରେ ସଂକ୍ରମଣ ରୋକିବା ପାଇଁ ଏହି ଅଧିକାରୀମାନେ କାର୍ଯ୍ୟ କରିବେ । ଏହି ଅଧିକାରୀମାନେ କଣ୍ଟେନମେଣ୍ଟ ଅଞ୍ଚଳର ସ୍ଥିତି ସମୀକ୍ଷା ସହ ସଂକ୍ରମଣଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତିମାନଙ୍କର ନମୁନା ସଂଗ୍ରହ କରିବେ। ଘରକୁ ଘର ବୁଲି ସର୍ଭେ କରିବେ।  ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ, ଜରୁରୀ ଆବଶ୍ୟକ ସାମଗ୍ରୀ ଯୋଗାଣ ତଦାରଖ କରିବେ ।

ଭୁବନେଶ୍ୱର ନର୍ଥ ଜୋନ୍ ପାଇଁ ଏସ୍‌ସିଏସଟିି ଉନ୍ନୟନ ସଚିବ ରଞ୍ଜନା ଚୋପ୍ରା, ଶକ୍ତି ସଚିବ ବିଷ୍ଣୁପଦ ସେଠୀଙ୍କୁ ଦାୟିତ୍ୱ ଦିଆଯାଇଛି।  ସେହିଭଳି ସାଉଥ ଇଷ୍ଟ ଜୋନ୍ ଦାୟିତ୍ୱରେ ଅଛନ୍ତି ଅବକାରୀ ସଚିବ ସୁଶୀଲ ଲୋହାନୀ, ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର। ଅନ୍ୟପକ୍ଷେ ସାଉଥ ୱେଷ୍ଟ ଜୋନ୍ ଦାୟିତ୍ୱ ଅର୍ଥ ସଚିବ ଅଶୋକ ମୀନା ଏବଂ ଆଇଏଏସ ଭାସ୍କର ଜ୍ୟୋତି ଶର୍ମାଙ୍କୁ ଦିଆଯାଇଛି।  ଗତକାଲି ମୁଖ୍ୟମନ୍ତୀଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି।

You might also like