ଭୟଙ୍କର ହେଉଛି କରୋନା: ନବମ ଓ ଏକାଦଶ କ୍ଲାସ୍‌ ବନ୍ଦ ପାଇଁ ନିଷ୍ପତ୍ତି ନେଲେ ସରକାର

କରୋନା ପାଇଁ ସ୍କୁଲ ବନ୍ଦ

  • କରୋନା ସ୍ଥିତି ଦେଖି ବନ୍ଦ ଘୋଷଣା କଲେ ରାଜ୍ୟ ସରକାର
  • ଏପ୍ରିଲ ୩୦ ପର୍ଯ୍ୟନ୍ତ କ୍ଲାସ ବନ୍ଦ ପାଇଁ ସରକାର ଦେଲେ ନିର୍ଦ୍ଦେଶ
  • ଉପରୋକ୍ତ ଦୁଇ ଶ୍ରେଣୀର ପିଲାଙ୍କୁ ଘରକୁ ଚାଲିଯିବାକୁ ସରକାର ଦେଲେ ନିର୍ଦ୍ଦେଶ
  • ହଷ୍ଟେଲ, ଆବାସିକ ସ୍କୁଲରେ ପଢୁଥିବା ପିଲାଙ୍କୁ ଘରକୁ ଯିବାକୁ କହିଲେ ସରକାର
  • ତେବେ ଦଶମ ଓ ଦ୍ୱାଦଶ କ୍ଲାସ ୨୫ ପର୍ଯ୍ୟନ୍ତ ଚାଲୁ ରଖିବାକୁ ହୋଇଛି ନିଷ୍ପତ୍ତି

ଭୁବନେଶ୍ୱର: ଭୟଙ୍କର ହେଉଛି କରୋନା। ମହାମାରୀ ବ୍ୟାପୁଥିବାରୁ ସ୍କୁଲକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ସରକାର। ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ପୁଣି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ନବମ ଓ ଏକାଦଶ କ୍ଲାସରେ ପାଠ ପଢ଼ା ବନ୍ଦ ରଖିବାକୁ ଘୋଷଣା କରିଛନ୍ତି ସରକାର। ସରକାରୀ ସ୍କୁଲ, ଅନୁଦାନପ୍ରାପ୍ତ ଏବଂ ଘରୋଇ ସ୍କୁଲରେ କ୍ଲାସ୍ ବନ୍ଦ କରାଯାଇଛି। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ, ଆସନ୍ତା ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ନବମ ଓ ଏକାଦଶ କ୍ଲାସ ବନ୍ଦ ରହିବ। ଏଥିସହ ହଷ୍ଟେଲ ଓ ଆବାସିକ ସ୍କୁଲରେ ପଢୁଥିବା ନବମ ଓ ଏକାଦଶ ଶ୍ରେଣୀର ପିଲାଙ୍କୁ ଘରକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

ତେବେ ଦଶମ ଓ ଦ୍ୱାଦଶ କ୍ଲାସ ୨୫ ତାରିଖ ପର୍ଯ୍ୟନ୍ତ ଚାଲୁ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କୋଭିଡ୍ ମହାମାରୀ ଭିତରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସମସ୍ତଙ୍କୁ ପାସ୍ ଘୋଷଣା କରିଥିଲେ ସରକାର। ତେବେ ନବମ ଓ ଏକାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲରେ ପାଠପଢା ଆରମ୍ଭ ହୋଇଥିଲା। ଏପରିକି କୋର୍ସ ସାରିବାକୁ ଛାତ୍ରଛାତ୍ରୀଙ୍କୁ ରବିବାର ବି ପାଠ ପଢା ଯାଉଥିଲା। ତେବେ ରାଜ୍ୟରେ କରୋନାର ଦ୍ୱିତୀୟ ଲହରୀ ଆରମ୍ଭ ହୋଇଥିବାରୁ ସତର୍କତା ମୂଳକ ପଦକ୍ଷେପ ନେଇଛନ୍ତି ସରକାର।

ଏଠାରେ ଆମେ କହିରଖୁଛୁ, ରାଜ୍ୟରେ କରୋନା ସ୍ଥିତି ଭୟଙ୍କର ହେବାରେ ଲାଗିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ମାତ୍ର ୨୪ ଘଣ୍ଟାରେ ରାଜ୍ୟରେ ୭୯୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୫୯ କରୋନା କ୍ୱାରେଣ୍ଟିନରେ ଥିବାବେଳେ ୩୩୨ ଲୋକାଲ କେସ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ କରି କୁହାଯାଇଛି।

ରାଜ୍ୟରେ ଅଣାୟତ୍ତ ହେଉଛି କରୋନା ସ୍ଥିତି। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ହାରରେ ବୃଦ୍ଧି ପାଉଛନ୍ତି। ଗତ ସୋମବାର ୫୭୩ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ମଙ୍ଗଳବାର ୫୮୮ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ହେଲେ ଆଜି ସବୁ ରେକର୍ଡ ଭାଙ୍ଗିଛି କରୋନା। ଗୋଟିଏ ଦିନରେ ବାହାରିଛନ୍ତି ୮୦୦ ପାଖାପାଖି କରୋନା ରୋଗୀ।

You might also like