କାହା କଥାରେ ଚାଲିଛି ଶାସନ ?

୧୭ ଦିନ ଧରି ନତାଲା ଓ ବିଭାଗୀୟ ମୁଖ୍ୟାଳୟ ଅଚଳ, ହନ୍ତସନ୍ତ ସାଧାରଣ ଜନତା

ଭୁବନେଶ୍ୱର: ଅଚଳ ହୋଇଯାଇଛି ରାଜ୍ୟ ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ। ଦିନେ କି ଦୁଇ ଦିନ ନୁହେଁ ବିଭାଗୀୟ ମୁଖ୍ୟ ଦପ୍ତର କର୍ମଚାରୀଙ୍କ ଅାନ୍ଦୋଳନ ଯୋଗୁଁ ଗଲା ୧୭ ଦିନ ଧରି ସ୍ଥିତି ଅସମ୍ଭାଳ। ଯାହାଫଳରେ ବିଭିନ୍ନ କାର୍ଯ୍ୟରେ ରାଜ୍ୟର କୋଣ ଅନୁକୋଣରୁ ଅାସୁଥିବା ସାଧାରଣ ଲୋକ ଦହଗଞ୍ଜ ହେଉଛନ୍ତି।

ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ କାର୍ଯ୍ୟାଳୟ ନତାଲା ସମେତ ସମ୍ବଲପୁର, ବ୍ରହ୍ମପୁର ଓ କଟକ ଆଦି ଜାଗାରେ ସମାନ ସ୍ଥିତି। କଲମ ଛାଡ଼ ଅାନ୍ଦୋଳନରେ ଠପ୍ ହୋଇଯାଇଛି ହେଡ୍‌ ଅଫ୍ ଡିପାର୍ଟମେଣ୍ଟର ସରକାରୀ କାମ। ହେଲେ କାହିଁକି ଏଭଳି ସ୍ଥିତି? ଅଭିଯୋଗ ହେଉଛି, କ୍ୟାର୍ଡର ପୁନର୍ଗଠନ ସଂକ୍ରାନ୍ତ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶନାମାକୁ ମାନୁ ନାହାନ୍ତି ସଚିବାଳୟର କିଛି ଅଧିକାରୀ। ଅାନ୍ଦୋଳନରତ କର୍ମଚାରୀ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ସଚିବ ଓ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ଦାୟୀ କରୁଛନ୍ତି। କ୍ୟାଡର ପୁନର୍ଗଠନ ସଂକ୍ରାନ୍ତ ନିର୍ଦ୍ଦେଶନାମା ନେଇ ଗତ ମାର୍ଚ୍ଚରେ ମୁଖ୍ୟମନ୍ତ୍ରୀ କରିଥିବା ଟୁଇଟ୍‌କୁ ପୋଷ୍ଟର ବନେଇ ଅାନ୍ଦୋଳନକୁ ଓହ୍ଲାଇଛନ୍ତି ଅମଲା ସଂଘ ଓ ସେକ୍ସନ୍ ଅଫିସର ସଂଘ।

ଗତ ୧୭ ତାରିଖରୁ ଚାଲିଅାସିଥିବା ଏଇ ଅାନ୍ଦୋଳନ ଏବେ ବ୍ୟାପକ ହେବାରେ ଲାଗିଛି। ଏପରିକି ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟ ଭିତରକୁ କୌଣସି ଉଚ୍ଚପଦସ୍ତ ଅଫିସରଙ୍କୁ ଛାଡ଼ିବାକୁ ଦେଉ ନାହାନ୍ତି ଅାନ୍ଦୋଳନକାରୀ। ସେପଟେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଓ ଅର୍ଥବିଭାଗର ଅଧିକାରୀଙ୍କ ନାଁରେ ଅାସିଥିବା ଅଭିଯୋଗ ନେଇ ବିଭାଗୀୟ ମନ୍ତ୍ରୀ ଅାଇନ୍ ବିଭାଗ କୋର୍ଟକୁ ବଲ୍ ଫିଙ୍ଗିଛନ୍ତି।

ପ୍ରଶ୍ନ ଉଠୁଛି, କ୍ୟାଡର ପୁନର୍ଗଠନ ନଥିରେ ଯଦି କିଛି ସମସ୍ୟା ଥିଲା ,ତେବେ ମୁଖ୍ୟମନ୍ତ୍ରୀ ଏହାର ଅନୁମୋଦନ ଦେଉଥିଲେ କେମିତି? ଅାଉ ମୁଖ୍ୟମନ୍ତ୍ରୀଙ୍କ ଗ୍ରୀନ୍ ସିଗ୍‌ନାଲ୍ ପରେ ବି ତାଙ୍କ ନିର୍ଦ୍ଦେଶ କିଭଳି ପାଳନ ହେଉନି ? କାହା କଥାରେ ଚାଲିଛି ଶାସନ? ମୁଖ୍ୟମନ୍ତ୍ରୀ ନା ତୃତୀୟ ମହଲାର କତିପୟ ସଚିବ ଓ ଅଫିସର?

You might also like