ବିଧାନସଭାରେ ସୌମ୍ୟ ପ୍ରତାପ ମୁହାଁମୁହିଁ : ପାନୀୟ ଜଳ ପ୍ରକଳ୍ପରେ ଓଡ଼ିଆଙ୍କୁ କାମ ମିଳୁନଥିବା ଅଭିଯୋଗ

 

  • ବିଧାନସଭାରେ ମୁହାଁମୁହିଁ ଶାସକ ଦଳ ବିଧାୟକ ଓ ମନ୍ତ୍ରୀ
  • ଠିକାଦାରଙ୍କ ସମସ୍ୟାକୁ ନେଇ ପ୍ରଶ୍ନ ଉଠାଇଲେ ସୌମ୍ୟ ପଟ୍ଟନାୟକ
  • ଜଳ ପ୍ରକଳ୍ପର ମାପଦଣ୍ଡ ଯୋଗୁଁ ଓଡ଼ିଆ ଠିକାଦାରଙ୍କୁ କାମ ମିଳୁନି
  • ରାଜ୍ୟର କଣ ସମସ୍ତ ପ୍ରକଳ୍ପ ମେଗା ହେବା ଜରୁରୀ ?
  • ସେପଟେ ଗୃହରେ ଜବାବ ରଖିଲେ ମନ୍ତ୍ରୀ ପ୍ରତାପ ଜେନା
  • ସିଭିସିର ଗାଇଡଲାଇନ୍ ଅନୁସାରେ ଠିକା ଦିଆଯାଉଛି
  • ମେଗା ପ୍ରକଳ୍ପରେ ଲାଗୁଥିବା ପାଇପ୍ ଓଡ଼ିଶାରେ ନିର୍ମାଣ ହେଉଛି
  • ଜଳ ଯୋଗାଣ ଓ ଯାନ୍ତ୍ରିକ କାମ ଓଡ଼ିଆ ଶ୍ରମିକ କରୁଛନ୍ତି

ଭୁବନେଶ୍ୱର: ବିଧାନସଭା ପ୍ରଶ୍ନକାଳରେ ମୁହାଁମୁହିଁ ସରକାରୀ ଦଳ ବିଧାୟକ ଓ ମନ୍ତ୍ରୀ । ଆଜି ଗୃହରେ ପାନୀୟ ଜଳ ପ୍ରକଳ୍ପ ନେଇ ଆଲୋଚନାରେ ରାଜ୍ୟର ଠିକାଦାରଙ୍କ ସମସ୍ୟାକୁ ନେଇ ପ୍ରଶ୍ନ ପଚାରିଥିଲେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ରାଜ୍ୟରେ ଚାଲିଥିବା ଜଳ ପ୍ରକଳ୍ପ କାମରେ  ଏଭଳି ମାପଦଣ୍ଡ ନିର୍ଦ୍ଧାରିତ ହେଉଛି ଯେଉଁଥିରେ ସ୍ଥାନୀୟ ଠିକାଦାର ମାନଙ୍କୁ ମେଗା ପାନୀୟ ଜଳ ପ୍ରକଳ୍ପ ରେ ଠିକାଦାରୀ କାମ କରିବାର ସୁଯୋଗ ମିଳୁନାହିଁ। ବିଶ୍ୱର ବିଭିନ୍ନ ସ୍ଥାନରେ ଓଡିଶାର ପାଣି ପାଇପ ମିସ୍ତ୍ରୀ ଓ ଠିକାଦାର ମାନେ କାମ କରୁଛନ୍ତି।

ସେପଟେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା । ସିଭିସିର ଗାଇଡଲାଇନ୍ ଅନୁସାରେ ଠିକା ଦିଆଯାଉଛି । ମେଗା ପ୍ରକଳ୍ପରେ ବ୍ୟବହୃତ ହେଉଥିବା ପାଇପ୍ ଓଡ଼ିଶାରେ ଥିବା କମ୍ପାନିରୁ ଅଣାଯିବାକୁ ନିର୍ଦ୍ଦେଶ ରହିଛି । ତାସହ ଜଳ ଯୋଗାଣ ସମେତ ଯାନ୍ତ୍ରିକ କାମ ଓଡ଼ିଶାର ଶ୍ରମିକଙ୍କ ଦ୍ୱାରା ହେଉଛି ବୋଲି ପ୍ରତାପ ଗୃହରେ ଜବାବ ରଖିଛନ୍ତି  ।

ମନ୍ତ୍ରୀଙ୍କ ଏହି ଉତ୍ତରରେ ପୁଣିଥରେ ପ୍ରତିକ୍ରିୟା ରଖି ସୌମ୍ୟ କହିଛନ୍ତି, ମନ୍ତ୍ରୀଙ୍କ ଉତ୍ତରକୁ ସତ ପ୍ରତିଶତ ଗ୍ରହଣ କରି ପାରୁନାହିଁ।  ଯଦି ମେଗା ପ୍ରକଳ୍ପ ମାଧ୍ୟମରେ ଚାରୋଟି ପର୍ଯ୍ୟାୟରେ ଘରକୁ ଜଳ ଯୋଗାଣ ହେଉଛି, ତେବେ କାହିଁକି ଗୋଟିଏ ପର୍ଯ୍ୟାୟରେ ବି ଓଡ଼ିଆ ଲୋକ କାମ ପାଉନାହାନ୍ତି । ଶେଷରେ ଏନେଇ ମନ୍ତ୍ରୀ ଉତ୍ତର ଦେଇ କହିଥିଲେ, ୫୦ କୋଟି ଟଙ୍କା ଭିତରେ ଯୋଉ କାମ ହେଉଛି ତାହା ଓଡିଶା ଠିକାଦାର ମାନେ କରୁଛନ୍ତି। ସେପଟେ ସିଭିସିର ଗାଇଡ଼ଲାଇନ ଅନୁସାରେ ୫୦ କୋଟି ଟଙ୍କା ଉପରକୁ ଥିବା ପ୍ରକଳ୍ପକୁ ଯୋଉ ସଂସ୍ଥା ଯୋଗ୍ୟ ହେଲା ତାକୁ ଦିଆଯାଉଛି, ଯେଉଁଥିରେ ବାହାର ସଂସ୍ଥା ମଧ୍ୟ କାମ କରୁଛନ୍ତି।

You might also like