ବାହାରୁ ଆସୁଥିବା ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ଦେଶର ବିଭିନ୍ନ ରାଜ୍ୟରେ କରୋନା ବ୍ୟାପିବାରେ ଲାଗିଛି। ସଂକ୍ରମିତ ଅଞ୍ଚଳମାନଙ୍କରେ ଥିବା ଅନେକ ଓଡ଼ିଆ ଏବେ ଘରକୁ ଫେରିଛନ୍ତି। ଓଡ଼ିଶାରେ କରୋନା ସଂକ୍ରମଣ ଅଧିକ ଆଶଙ୍କା ଥିବାରୁ ଏ ନେଇ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବେ ତିନିଟି ଦିଗକୁ ଗୁରୁତ୍ୱପୂର୍ଣ୍ଣ ଭାବେ ନେଇଛି।

  • ପ୍ରଥମତଃ ଯେଉଁମାନେ କରୋନା ବ୍ୟାପୁଥିବା ଅଞ୍ଚଳରୁ ଆସୁଛନ୍ତି ବା ଆସିଛନ୍ତି, ସେମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ଏବଂ କୌଣସି ଲକ୍ଷଣ ଥାଉ କି ନଥାଉ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖିବା।
  • ଦ୍ୱିତୀୟଟି ହେଉଛି, କରୋନା ପାଇଁ କୋଭିଡ-୧୯ ପରୀକ୍ଷଣ ଓ ପଜିଟିଭ୍ ଆସିଥିବା ବ୍ୟକ୍ତିଙ୍କୁ ଆଇସୋଲେସନରେ ରଖିବା ଏବଂ ସେମାନଙ୍କ ସଂପର୍କରେ ଆସିଥିବା ସମସ୍ତ ଲୋକଙ୍କୁ ଖୋଜି ବାହାର କରିବା।
  • ତୃତୀୟ ଗୁରୁତ୍ୱପୂର୍ଣ୍ଣ ଦିଗ ହେଲା, କରୋନା ପଜିଟିଭ୍ ଆସିଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଲକ୍ଷଣ ଥାଉ କି ନଥାଉ କ୍ୱାରେଣ୍ଟାଇନରେ ରଖିବା।

ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତୁରନ୍ତ ଏହାକୁ କଡ଼ାକଡ଼ି ଭାବେ ଲାଗୁ କରିବା ଲାଗି କୁହାଯାଇଛି। ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସ୍ୱାସ୍ଥ୍ୟ ବିଭାଗ ସଚିବ ନିକୁଞ୍ଜ ଧଳ ଚିଠି ଲେଖି ଜଣାଇଛନ୍ତି।

ତେବେ ବର୍ତ୍ତମାନ ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ, ଗତ ୧୪ ଦିନ ଧରି ପ୍ରବାସରୁ ଫେରିଥିବା ୨୮୫୬ ଜଣଙ୍କ ଚିହ୍ନଟ ହୋଇପାରିନି। ଏପରିକି  ଜିଲ୍ଲାସ୍ତରୀୟ ସର୍ଭେଲାନ୍ସ ଟିମ୍ ନଜରକୁ ଆସିନାହାନ୍ତି। ସେମାନେ ହୋମ୍ କ୍ୱାରେଣ୍ଟାଇନରେ ନ ରହିଲେ ଅନ୍ୟକୁ ସଂକ୍ରମଣ କରିପାରନ୍ତି।

ସେମାନଙ୍କୁ ତୁରନ୍ତ ଚିହ୍ନଟ କରି ହୋମ୍ ଆଇସୋଲେସନ୍ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।ସେମାନଙ୍କ ସହ ଯୋଗାଯୋଗ କରିବା ସହ କ୍ୱାରେଣ୍ଟାଇନରେ ରଖିବା ଲାଗି ବ୍ୟବସ୍ଥା କରିବାକୁ କୁହାଯାଇଛି।

You might also like