ମହାଶିବରାତ୍ରୀ ଲାଗି କଟକଣା ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଆସନ୍ତାକାଲି ମହାଶିବରାତ୍ରୀ। ଜାଗରରେ ମହାଦେବଙ୍କ ଦର୍ଶନ ସହ ଉପବାସ ରଖି ଦୀପ ଜାଳିଥାନ୍ତି ଭକ୍ତ। ତେବେ ଚଳିତ ବର୍ଷ ଜାଗର ପାଇଁ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। ମନ୍ଦିର ପରିସର ଓ ବାହାରେ ଶ୍ରଦ୍ଧାଳୁଙ୍କ ଗହଳିକୁ ବାରଣ କରାଯିବା ସହ ମେଳାକୁ ମନା କରାଯାଇଛି। ନିୟମ ଉଲ୍ଲଘଂନ କଲେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପକ୍ଷେ, ପ୍ରଭୁ ଲିଙ୍ଗରାଜଙ୍କ ଜାଗର ପାଳନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ହୋଇଛି। ମନ୍ଦିର ବାହାରେ ୨ ଶହ ମିଟର ଯାଏ ଲମ୍ବା ବ୍ୟାରିକେଡ୍, ଭିତରେ ଭକ୍ତଙ୍କ ଭିଡ଼ ଏଡାଇବାକୁ ସ୍ୱତନ୍ତ୍ର ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି। ମନ୍ଦିର ପରିସର ଓ ବାହାରେ ଟେଣ୍ଟ ବି ଲଗାଯାଇଛି। ଗତକାଲିଠାରୁ ସେବାୟତଙ୍କ କୋଭିଡ୍ ଟେଷ୍ଟ ଆରମ୍ଭ ହୋଇଛି। ମନ୍ଦିର ଭିତର ସେବାରେ ନିୟୋଜିତ ସମସ୍ତ ସେବାୟତଙ୍କ କରୋନା ଟେଷ୍ଟ୍‌ କରାଯିବ। ଟ୍ରଷ୍ଟ ବୋର୍ଡର ସଦସ୍ୟ, ଫୁଲ ଦୋକାନୀ ଓ ପୋଲିସ୍‌ ଅଧିକାରୀଙ୍କର ବି କୋଭିଡ୍ ଟେଷ୍ଟ ହେବ।

ମହାପ୍ରଭୁ ଲିଙ୍ଗରାଜଙ୍କ ମହାଶିବରାତ୍ରୀ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି ହୋଇଛି। ମାଉସୀ ମା ’ପଟରୁ ରଥରୋଡ଼କୁ ଆସୁଥିବା ୪ ଚକିଆ ଯାନ ଛଡ଼ାଯିବ ନାହିଁ।
ରବି ଟକିଜ ପଟରୁ ଆସୁଥିବା ସମସ୍ତ ଗାଡ଼ି କଚରାପିଣ୍ଡି ପର୍ଯ୍ୟନ୍ତ ଯିବେ। ଗ୍ୟାରେଜ ଛକ ଓ ସାମନ୍ତରାପୁର ପଟୁ ଗାଡ଼ି ବିଏମ୍ସି‌ ମାର୍କେଟ ପାର୍କିଂକୁ ଯିବ। ସେହିପରି କେଉଟସାହି ପଟରୁ ଆସୁଥିବା ଗାଡ଼ି ବିଏମ୍‌ସି ମାର୍କେଟ କମ୍ପଲେକ୍ସ ପାର୍କିଂ ସ୍ଥଳ ଯିବେ। ଦକ୍ଷିଣକାଳୀ ଓ ତାରାସୁନ୍ଦରୀ ରାସ୍ତାପଟ ଗାଡ଼ି ବିଏମ୍‌ ହାଇସ୍କୁଲ ପଡ଼ିଆକୁ ଯିବେ। ପୁନାମା ଗେଟ ପଟର ଗାଡ଼ିକୁ ବଢ଼େଇବାଙ୍କ ଆଡକୁ ଛଡ଼ା ଯିବନି। ବିନ୍ଦୁସାଗର ପଟୁ ଭଜନ ମଣ୍ଡପ ଆଡ଼କୁ କୌଣସି ଗାଡ଼ି ଛଡ଼ାଯିବ ନାହିଁ। 

ମହାଶିବରାତ୍ରୀକୁ ନେଇ ବାଲେଶ୍ୱରରେ ବି ଜାରି ହୋଇଛି କଟକଣା। ଜିଲ୍ଲାର ସମସ୍ତ ଧାର୍ମିକ ସ୍ଥଳ ଓ ମନ୍ଦିରରେ ଭିଡ଼ ନକରିବାକୁ କଡ଼ା ନିର୍ଦେଶ ରହିଛି। ଠାକୁରଙ୍କ ନୀତିକାନ୍ତି ପାଇଁ କେବଳ ପୂଜକ ଓ ସେବାୟତଙ୍କୁ ଅନୁମତି ମିଳିଛି। ଜାଗର ଦିନ ସାଧାରଣ ଦର୍ଶନକୁ ବନ୍ଦ ରଖାଯାଇଛି।

You might also like