ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ ନିଯୁକ୍ତ ଆମିକସ୍‌କ୍ୟୁରିଙ୍କ ଅାଲୋଚନା

ପୁରୀରେ ଆମିକ୍ସକ୍ୟୁରି ଗୋପାଳ ସୁବ୍ରମଣ୍ୟମ୍‌

ପୁରୀ: ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ ନିଯୁକ୍ତ ଆମିକସ୍‌କ୍ୟୁରି ଗୋପାଳ ସୁବ୍ରମଣ୍ୟମଙ୍କ ଅାଲୋଚନା। ଗତକାଲି ରାତିରେ ପୁରୀରେ ପହଞ୍ଚିଥିବା ଗୋପାଳ ସୁବ୍ରମଣ୍ୟମ୍ ଅାଜି ସକାଳୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଏହାପରେ ସେ ବିଭିନ୍ନ ପକ୍ଷଙ୍କ ସହ ବୈଠକ ଅାରମ୍ଭ କରିଛନ୍ତି।

ପ୍ରଥମେ ସେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଏସ୍‌ପିଙ୍କ ସହିତ ଅାଲୋଚନା କରିଛନ୍ତି। ଏହି ସମୟରେ ଆମିକସ୍‌କ୍ୟୁରିଙ୍କୁ ଶ୍ରୀମନ୍ଦିର ସଂପର୍କରେ ବିସ୍ତୃତ ତଥ୍ୟ ଦିଅାଯାଇଛି। ଶ୍ରୀମନ୍ଦିରର ଇତିହାସ, ପରମ୍ପରା, ପୂଜାପାର୍ବଣ ତଥା ମନ୍ଦିର ପରିଚାଳନା ନେଇ ତଥ୍ୟ ଦିଅାଯାଇଛି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

ସୁପ୍ରିମକୋର୍ଟ ଦେଇଥିବା ୧୨ଟି ପ୍ରସ୍ତାବ ମଧ୍ୟରୁ ୯ଟି ପ୍ରସ୍ତାବ ଉପରେ ସମସ୍ତେ ଏକ ପ୍ରକାର ସହମତ ହୋଇଛନ୍ତି। ତେବେ ୩ଟି ପ୍ରସ୍ତାବକୁ ନେଇ ଦ୍ୱନ୍ଦ୍ୱ ରହିଥିବା ବୈଠକ ବେଳେ ଆମିକସ୍‌କ୍ୟୁରିଙ୍କୁ ଜଣାଇ ଦିଅାଯାଇଥିବା ମୁଖ୍ୟ ପ୍ରଶାସକ କହିଛନ୍ତି। ସେ ଅାଜି ଅପରାହ୍ନ ୪ଟାରେ ଅାଇନ ସଚିବ ଓ ରାଜ୍ୟ ସରକାରଙ୍କ ୩ ଜଣିଅା କମିଟି ଓ ସଂଧ୍ୟା ୬ଟାରେ ପୁରୀ ଜିଲ୍ଲା ଜଜ୍‌ଙ୍କୁ ଭେଟି ଅାଲୋଚନା କରିବେ।

ଅାସନ୍ତା କାଲି ସକାଳ ସାଢ଼େ ୯ଟାରେ ଆମିକସ୍‌କ୍ୟୁରି ଗଜପତି ମହାରାଜଙ୍କୁ ଭେଟିବେ। ଦିନ ୧୧ଟାରେ ଶ୍ରୀମନ୍ଦିର ପରିଚାଳନା କମିଟି, ୧୨ଟା ୩୦ରେ ପୁରୀ ବିଧାୟକ ଓ ସାଂସଦ ଏବଂ ଦିନ ଗୋଟାଏରେ ଅାଡ୍‌ଭୋକେଟ୍‌ ଜେନେରାଲଙ୍କ ସହ ଅାଲୋଚନା କରିବେ। ଅପରାହ୍ନ ୪ଟାରେ ଛତିଶାନିଯୋଗ ସହ ଆମିକସ୍‌କ୍ୟୁରିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ରହିଛି ବୋଲି ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

You might also like