ଭାଙ୍ଗିଲା ରକ୍ଷଣଶୀଳତାର ମଜବୁତ୍ ବାଡ଼; ଝିଅ କାନ୍ଧରେ ମଶାଣି ଗଲେ ବାପା

ମାଲକାନଗିରି: ପରିବର୍ତ୍ତନ ରାସ୍ତାରେ ପଡ଼ିଛି ଚାରିପାଦ। ରକ୍ଷଣଶୀଳତାର ବାଡ଼ ଭାଙ୍ଗି ସଂସ୍କାରକୁ ଆଗକୁ ନେବା ପାଇଁ ବାପାର ଶବକୁ କାନ୍ଧରେ ବୋହୁଛି ଝିଅ। ଏହାକୁ ନେଇ ଏବେ ସବୁଠି ଚର୍ଚ୍ଚା, ବାହାବା ହେଉଛି।

ଦୁଇ ଝିଅଙ୍କ କାନ୍ଧରେ ମଶାଣି ଯାଉଥିବା ଭାଗ୍ୟବାନ ବାପ ସୁକାନ୍ତ ପଟ୍ଟନାୟକ। ସୁକାନ୍ତଙ୍କ ପୁଅ ନଥିବାରୁ ତିନି ଝିଅ ମିଶି ବାପାଙ୍କ ଅନ୍ତିମ ସଂସ୍କାର କରିଛନ୍ତି। ବାପଙ୍କ ମୃତ୍ୟୁ ପରେ ମାଲବାହୀଙ୍କ ସହ ମିଶି ଅବିବାହିତ ଦୁଇ ଭଉଣୀ ବାପାଙ୍କୁ ମଶାଣି ଯାଏ କାନ୍ଧେଇ ନେଇଯାଇଥିଲେ।

ଶ୍ମଶାନରେ ବିବାହିତ ବଡ଼ଭଉଣୀ ସହ ମିଶି ସବୁ କ୍ରିୟାକର୍ମ ହେଲା। ଆଉ ଶେଷରେ ଘଟମାଠିଆ ଧରି ଜୁଇ ଚାରିପାଖେ ବୁଲିଲେ। ପରମ୍ପରାକୁ ପଛ କରି ମୁଖାଗ୍ନି ମଧ୍ୟ ଦେଲେ। ବାପଙ୍କ ଶେଷ ଇଚ୍ଛାକୁ ପୂରା କଲେ ସୁକାନ୍ତଙ୍କ ସାନ ଝିଅ ସଂଗୀତା। ତେବେ ବଡ଼ କଥା ହେଉଛି, ତିନିଝିଅଙ୍କ ସଂସ୍କାରମୁଖୀ ଏ ବଡ଼ ପଦକ୍ଷେପକୁ ସ୍ଥାନୀୟ ଲୋକଙ୍କ ସମର୍ଥନ ବି ମିଳିଥିଲା।

ଝିଅ ଶବ କାନ୍ଧେଇବା କିମ୍ବା ମୁଖାଗ୍ନି ଦେବାର ଏ ପରମ୍ପରା ମାଲ୍‌କାନଗିରି ଭଳି ପଛୁଆ ଅଞ୍ଚଳରେ ପ୍ରଥମ ଘଟଣା ବୋଲି କୁହାଯାଉଛି। ହେଲେ ୧୪ ବର୍ଷ ତଳେ ସମାନ କାରଣ ପାଇଁ ଚର୍ଚ୍ଚାକୁ ଆସିଥିଲେ ଆଉ ଜଣେ ସାହସୀ ଝିଅ ଅଭିନେତ୍ରୀ ମଧୁମିତା ମହାନ୍ତି। ସେତେବେଳେ ମଧୁମିତା ମଧ୍ୟ ଭୁବନେଶ୍ୱରରେ ବାପା ତଥା ପ୍ରତିଷ୍ଠିତ ସାହିତ୍ୟିକ ଶରତ ମହାନ୍ତିଙ୍କୁ ମୁଖାଗ୍ନୀ ଦେଇ ପରିବର୍ତ୍ତନର ନୂଆ ଧାରା ସୃଷ୍ଟି କରିଥିଲେ। ସମାଜଶାସ୍ତ୍ରୀଙ୍କ ମତରେ ପୁଅ ବଦଳରେ ଝିଅ ଅନ୍ତ୍ୟେଷ୍ଟିରେ ସାମିଲ ହେବା ବେଦ ସମ୍ମତ। ଏଥିରେ କୌଣସି ଅସୁବିଧା ନାହିଁ।

ପୁଅଠୁ କୌଣସି ଗୁଣରେ ବି କମ୍ ନୁହନ୍ତି କନ୍ୟାରତ୍ନ। ୧୪ ବର୍ଷ ତଳେ ଭୁବନେଶ୍ୱର, ଆଉ ଏବେ ମାଲକାନଗିରିରୁ ଆରମ୍ଭ ହୋଇଥିବା ପରିବର୍ତ୍ତନର ଏ ଧାରା ଆଗକୁ ଯେ ଆହୁରି ବହିଚାଲିବ  ତାହା ନିଃସନ୍ଦେହ।

You might also like