ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ରାଉରକେଲା: ରାଉରକେଲାରେ ଚାଞ୍ଚଲ୍ୟ। ରାଉରକେଲାର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ରାଉରକେଲା ରେଳବାଇ ଥାନାରେ ଏକ ମାମଲା ରୁଜୁ ହୋଇଛି।

ଗଣଦୁର୍ଷ୍କମର ଶିକାର ହୋଇଥିବା ଛାତ୍ରୀ ଜଣଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅଭିଯୋଗ ଅନୁଯାୟୀ, ଗତ ଡିସେମ୍ବର ୩୧ ତାରିଖ ଦିନ କଲେଜ ଛୁଟି ହେବା ପରେ ଛାତ୍ରୀ ଜଣକ ନିଜ ଘର ଝାରସୁଗୁଡ଼ା ଯିବା ପାଇଁ ରାଉରକେଲା ରେଳ ଷ୍ଟେସନରେ ଟ୍ରେନ୍‌କୁ ଅପେକ୍ଷା କରିଥିଲେ। ସେତିକି ବେଳେ ଷ୍ଟେସନ୍‌ରେ ତାଙ୍କ ଭାଇଙ୍କର ଜଣେ ସାଙ୍ଗ ସହିତ ତାଙ୍କର ଦେଖା ହୋଇଥିଲା। ସେହି ଯୁବକ ଜଣଙ୍କ ଗୋଟିଏ ଟ୍ରେନ୍‌କୁ ଦେଖାଇ, ତାହା ଝାରସୁଗୁଡ଼ା ଯିବ ବୋଲି କହିଥିଲେ।

ଏହା ପରେ ସେ ସେହି ଯୁବକଙ୍କ ସହ ସେହି ଟ୍ରେନ୍‌ରେ ଚଢ଼ି ଯାଇଥିଲେ। ତେବେ ଟ୍ରେନ୍‌ଟି ଝାରସୁଗୁଡ଼ା ରୁଟ୍‌ରେ ନଯାଇ ଅନ୍ୟ ରୁଟ୍‌ ଧରିଥିଲା। ଏହା ଦେଖି ଛାତ୍ରୀ ଜଣଙ୍କ ଦ୍ୱନ୍ଦ୍ୱରେ ପଡ଼ିଯିବାରୁ ଯୁବକ ଜଣଙ୍କ ତାଙ୍କୁ ବୁଝାଇ ଦେଇଥିଲେ ଯେ ଟ୍ରେନ୍‌ଟି ବୁଲିକି ଝାରସୁଗୁଡ଼ା ଯିବ। ତେବେ ସେହି ଟ୍ରେନ୍‌ ଝାରସୁଗୁଡ଼ା ଯାଇ ନଥିଲା।

ଝାଡ଼ଖଣ୍ଡର ଲୋଟା ପାହାଡ଼ ଷ୍ଟେସନ୍‌ରେ ଓହ୍ଲାଇ ବସ୍‌ ଯୋଗେ ଝାରସୁଗୁଡ଼ା ଚାଲି ଯିବାକୁ ଯୁବକ ଜଣଙ୍କ ତାଙ୍କୁ କହିଥିଲେ। ଲୋଟା ପାହାଡ଼ ଷ୍ଟେସନ୍‌ରେ ଓହ୍ଲାଇବା ପରେ ଯୁବକ ଜଣଙ୍କ ତାଙ୍କୁ ଏକ ଘରକୁ ନେଇ ଯାଇଥିଲେ। ପରେ ସେଠାରେ ତାଙ୍କର ୫ ଜଣ ସାଙ୍ଗ ପହଞ୍ଚିଥିଲେ। ଦୁଇ ଦିନ ଧରି ସେମାନେ ତାଙ୍କୁ ଦୁଷ୍କର୍ମ କରିଥିବା ଛାତ୍ରୀ ଜଣଙ୍କ ଅଭିଯୋଗ କରିଛନ୍ତି।

ଜାନୁଆରୀ ୧ ତାରିଖ ଦିନ ସେମାନେ ତାଙ୍କୁ ଛାଡ଼ି ଦେଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ସେ ଚକ୍ରଧରପୁର ଥାନାରେ ଅଭିଯୋଗ କଲା ପରେ ସେମାନେ ତାଙ୍କୁ ରାଉରକେଲା ପଠାଇ ଦେଇଥିଲେ। ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ରାଉରକେଲା ଜିଆର୍‌ପି ମାମଲା ରୁଜୁ କରିଛି ଓ ତଦନ୍ତ କରୁଛି।

ଆହୁରି ପଢ଼ନ୍ତୁ

You might also like