କରୋନା ଡରରେ ମରିଗଲା ମଣିଷପଣିଆ: ରୋଗ ଦେଖିଲେନି ଡାକ୍ତର, ମୃତ୍ୟୁ ପରେ ଘରେ ପଶିବାକୁ ମନା କଲା ଘର ମାଲିକ

ଭୁବନେଶ୍ୱର: ମନରୁ ମଣିଷପଣିଆ ପୋଛି ଦେଉଛି କି କରୋନା ଡର? ଖାଲି ସାମାଜିକ ଦୂରତା ନୁହେଁ, ଧୀରେ ଧୀରେ ମଣିଷ-ମଣିଷ ଭିତରେ ଭାବନାଗତ ହୃଦୟଗତ ଦୂରତାକୁ ବି ବଢ଼ାଇ ଦେଉଛି କି ସଂକ୍ରମଣ ଭୟ? କିଛି ଦିନ ତଳେ ଖୋଦ୍ ରାଜଧାନୀରେ ଘଟିଯାଇଛି ଏଭଳି ଏକ ଘଟଣା, ଯାହାକୁ କେବଳ ଅଭାବନୀୟ ନୁହେଁ, ଅମାନବୀୟ ବି କୁହାଯାଇପାରେ।

ଅଭିଯୋଗ ଅନୁସାରେ, ଗତ ସୋମବାର ରାତିରେ ଭୁବନେଶ୍ୱର ରସୁଲଗଡ଼ ନିକଟସ୍ଥ ବାସୁଦେବନଗରରେ ଡାଇବେଟିସ୍ ପୀଡ଼ିତ ବୃଦ୍ଧ ରବୀନ୍ଦ୍ର ନାୟକ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କ ପୁଅ ପାରଳାଖେମୁଣ୍ଡିରେ ରହୁଥିବା ବେଳେ ଘରେ ବୃଦ୍ଧଙ୍କ ପତ୍ନୀ ଓ ଝିଅ ଥିଲେ। ହଠାତ୍ ରାତିରେ ରବୀନ୍ଦ୍ର ଛାତିରେ ଭୀଷଣ ଯନ୍ତ୍ରଣା ଅନୁଭବ କରିବା ପରେ ପରିବାର ଲୋକେ ପ୍ରଥମେ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ  ହେଲେ ସେଠାରୁ କୌଣସି ଉତ୍ତର ନମିଳିବାରୁ ୧୦୦ ଓ ୧୦୪କୁ ଫୋନ କରିବାରୁ ସେମାନେ ସାହାଯ୍ୟ କରିପାରିବେନି ବୋଲି କହିଥିଲେ।

ଭଡ଼ାଘର ମାଲିକ ବି ନିଜ ଗାଡ଼ି ଦେବାକୁ ମନା କରିଦେଇଥିଲେ। ଏହା ପରେ ଓଲା କାର୍‌ରେ ସେମାନେ ପ୍ରଥମେ ଭୁବନେଶ୍ୱର ସନ୍‌ସାଇନ ହସ୍ପିଟାଲକୁ ତାଙ୍କ ବାପାଙ୍କୁ ନେଇଥିଲେ। ହେଲେ ସେଠାରେ ତାଙ୍କୁ ଭର୍ତ୍ତି କରିବାକୁ ହସ୍ପିଟାଲ କର୍ତ୍ତୃପକ୍ଷ ମନା କରିଦେଇଥିଲେ।  ଏହାପରେ ସ୍ପର୍ଶ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲେ ବି, ସେଠାରେ ତାଙ୍କୁ କୌଣସି ଡାକ୍ତର ଦେଖିନଥିବା ଏବଂ ନର୍ସ ପେନ୍‌କିଲର୍ ଦେଇଥିବା ରବୀନ୍ଦ୍ରଙ୍କ ଝିଅ ଅଭିଯୋଗ କରିଛନ୍ତି। ସେଠାରୁ ଅସନ୍ତୁଷ୍ଟ ହୋଇ ଆଉ ଏକ ହସ୍ପିଟାଲକୁ ସ୍ଥାନାନ୍ତର ବେଳେ ରବୀନ୍ଦ୍ର ଆଖି ବୁଜି ଦେଇଥିଲେ।

କଥା ଏତିକିରେ ସରିଲାନି। ବିଳମ୍ବିତ ରାତିରେ ଭଡ଼ାଘରକୁ ଫେରିବା ପରେ, ରବୀନ୍ଦ୍ରଙ୍କ ମୃତ ଦେହକୁ ଘରକୁ ପୂରାଇବାକୁ ମନା କରିଦେଇଥିଲେ ଘର ମାଲିକ। ରବୀନ୍ଦ୍ରଙ୍କ ଝିଅ ବାରମ୍ବାର ଅନୁରୋଧ ପରେ, ଘରକୁ ଛାଡ଼ିବାତ ଦୂରର କଥା, ଗ୍ୟାରେଜରେ ବି ତାଙ୍କୁ ଘର ମାଲିକ ରହିବାକୁ ଦେଇନଥିଲେ। ଶେଷରେ ରାତି ତମାମ୍ ବାହାରେ ରହିବା ପରେ, ସକାଳୁ ସତ୍ୟନଗର ଶ୍ମଶାନରେ ରବୀନ୍ଦ୍ରଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା। ରବୀନ୍ଦ୍ରଙ୍କ ଝିଅ ମୁଖାଗ୍ନି ଦେଇଥିବା ବେଳେ, ଶେଷକୃତ୍ୟର କିଛି ସମୟ ପରେ ତାଙ୍କ ପୁଅ ପାରଳାଖେମୁଣ୍ଡିରୁ ପହଞ୍ଚିଥିଲେ।

ସେପଟେ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ସ୍ପର୍ଶ ହସ୍ପିଟାଲ କର୍ତ୍ତୃପକ୍ଷ। କହିଛନ୍ତି ରୋଗୀଙ୍କୁ ହସ୍ପିଟାଲରେ ସାଲାଇନ୍ ଓ ପେନ୍ କିଲର୍ ଦିଆଯାଇଥିଲା। ତେବେ ଇସିଜି ଟେଷ୍ଟ୍‌ରୁ ଅସ୍ୱାଭାବିକ ଲକ୍ଷଣ ଥିବା ଜଣା ପଡ଼ିବା ପରେ, ସ୍ପର୍ଶ ହସ୍ପିଟାଲ ଆମ୍ବୁଲାନ୍ସରେ କାର୍ଡିଆକ୍ ସେଣ୍ଟରକୁ ପଠାଇ ଦିଆଯାଇଥିଲା। ତେବେ ଏନେଇ ସନ୍‌ସାଇନ୍ ହସ୍ପିଟାଲ କିମ୍ବା ଭଡ଼ାଘର ମାଲିକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଆହୁରି ପଢ଼ନ୍ତୁ

୨୪ ଘଣ୍ଟାରେ ଓଡ଼ିଶାରେ ଆଖି ବୁଜିଲେ ୧୪ କରୋନା ରୋଗୀ

ଦିନକରେ ଓଡ଼ିଶାରେ ୩,୪୪୩ କରୋନା ପଜିଟିଭ୍‌ ଚିହ୍ନଟ, ଲୋକାଲ୍‌ କେସ୍‌ କେବଳ ୧,୪୨୬

ସରପଞ୍ଚ ଗଣିବେ ଲକ୍ଷେ ଟଙ୍କା ଫାଇନ୍‌

ପର୍ବତାରୋହୀ ଯୋଗବ୍ୟାସ ଭୋଇଙ୍କ ଉପରକୁ ଆକ୍ରମଣ

ପରଲୋକରେ ‘ଜହ୍ନମାମୁଁ’ ପତ୍ରିକାର ପ୍ରସିଦ୍ଧ କାର୍ଟୁନିଷ୍ଟ କେ.ସି ଶିବଶଙ୍କର

ପାନ ଖାଇ ଶ୍ରୀମନ୍ଦିରକୁ ଯାଇପାରିବେନି; ଧରା ପଡ଼ିଲେ ଗଣିବେ ଫାଇନ୍‌

ଗାନ୍ଧି ଜୟନ୍ତୀରୁ ବିଜେଡିର କୋଭିଡ୍ ମହାମାରୀ ସଚେତନତା ଅଭିଯାନ

ବିଜୁଳି ଦର ବୃଦ୍ଧି ନେଇ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍‌

ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ର କପିକୁ ଚିରି ଦେଲେ ତାରା

ଗୃହରେ କୋଭିଡ ତାତି; କଂପାନୀଙ୍କୁ ବ୍ଲାଙ୍କ୍ ଚେକ୍ କାହିଁକି ଦିଆଯାଇଥିଲା ବୋଲି ପ୍ରଶ୍ନ କଲା ବିରୋଧୀ

ରାଜ୍ୟରେ ୩୮୯୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ; ମୋଟ ସୁସ୍ଥ ସଂଖ୍ୟା…

କମିବ ଘରୋଇ ସ୍କୁଲ୍‌ ଫି !

You might also like