ଆତ୍ମହତ୍ୟା ପୂର୍ବରୁ ଭିଡ଼ିଓ କରି କହିଲେ- “ଭାଇ, ସରି ମୁଁ ତମ କଥା ରଖିପାରିଲିନି…”

ସୁନାବେଢ଼ା: “ଭାଇ, ସରି ମୁଁ ତମ କଥା ରଖିପାରିଲିନି। କିଛି ଭୁଲ ପଦକ୍ଷେପ ନନେବା ପାଇଁ ତୁମେ ମୋତେ କହିଥିଲ, ହେଲେ ଏମାନେ ମୋତେ ଶାନ୍ତିରେ ରଖେଇ ଦେବେ ନାହିଁ। ଏମାନେ ମୋତେ ମାନସିକ ନିର୍ଯାତନା ଦେଉଛନ୍ତି..” ଆତ୍ମହତ୍ୟା ପୂର୍ବରୁ ଏଭଳି କିଛି କହିଥିଲେ ଜଣେ ମହିଳା। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡ଼ିଓରେ ତାଙ୍କ ମୃତ୍ୟୁ ପାଇଁ ସେ କିଛି ଲୋକଙ୍କୁ ଦାୟୀ କରିବା ସହ ତାଙ୍କ ନାଁ ମଧ୍ୟ ନେଇଛନ୍ତି।

ଆତ୍ମହତ୍ୟା ପୂର୍ବରୁ କୋରାପୁଟ ଜିଲ୍ଲା ସୁନାବେଢ଼ା ହାଲ୍ ଅଞ୍ଚଳର ଜଣେ ମହିଳାଙ୍କ ଆବେଗପୂର୍ଣ୍ଣ ଅଭିଯୋଗର ଭାଇରାଲ୍ ଭିଡ଼ିଓକୁ ନେଇ ଏବେ ଚର୍ଚ୍ଚା ଧରିଛି। ଅତ୍ୟଧିକ ମାନସିକ ଚାପରୁ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିବା ଓ ତାଙ୍କ ମୃତ୍ଯୁ ପାଇଁ ନିଜ ଶାଶୁ ଘର ଲୋକଙ୍କ ସହ ହାଲର କିଛି କର୍ମଚାରୀଙ୍କୁ ସେ ଦାୟୀ କରିଛନ୍ତି। ମୃତ ମହିଳାଙ୍କ ନାଁ ଶ୍ରାବଣୀ ମଲ୍ଲିକ। ସେ ପୂର୍ବତନ କର୍ମଚାରୀ ସ୍ବର୍ଗତ ଆନନ୍ଦ ମଣ୍ଡଳଙ୍କ ପତ୍ନୀ। କିଛି ଦିନ ତଳେ ଆନନ୍ଦଙ୍କର ପରଲୋକ ଘଟିଥିଲା। ତେବେ ସ୍ବାମୀଙ୍କ ମୃତ୍ଯୁ ପରେ ଟଙ୍କା ନେଣଦେଣକୁ ନେଇ ହାଲର କିଛି କର୍ମଚାରୀ ତାଙ୍କୁ ହଇରାଣ କରିବା ସହ ମାନସିକ ନିର୍ଯାତନା ଦେଉଥିବା କଥା ଭିଡିଓ ରେକର୍ଡିଂରେ ଶ୍ରାବଣୀ କହିଛନ୍ତି। ଏପରିକି ତାଙ୍କ ମୃତ୍ଯୁ ପାଇଁ ଶ୍ରାବଣୀ ଶାଶୁ ଘର ଲୋକଙ୍କୁ ମଧ୍ୟ ସିଧାସଳଖ ଦାୟୀ କରିଛନ୍ତି।

ଭିଡ଼ିଓରେ ସେ ଆହୁରି ମଧ୍ୟ କହିଛନ୍ତି, “ମୋ ଶ୍ୱଶୁର ଘର ଲୋକ ହେଉଛନ୍ତି ସବୁଠୁ ଖରାପ ଲୋକ। ମୁଁ ଅଭିଶାପ ଦେଇ ଯାଉଛି ତାଙ୍କ ବଂଶ ବୁଡ଼ିବ। ସେମାନେ ମୋତେ ଯେତିକି କଷ୍ଟ ଦେଇଛନ୍ତି ସମସ୍ତେ କାନ୍ଦିବେ”।

ସୁନାବେଢ଼ା ପୋଲିସ ଶ୍ରାବଣୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ଏହାସହ ଏକ ଅପମୃତ୍ଯୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ଶ୍ରାବଣୀ ଆତ୍ମହତ୍ୟା ପୂର୍ବରୁ ଯେଉଁ ସବୁ ଲୋକଙ୍କ ନାଁ ନେଇଛନ୍ତି ତା’ର ତଦନ୍ତ ହେବ ବୋଲି ସୁନାବେଢ଼ା ଆଇଆଇସି କହିଛନ୍ତି

You might also like