ଯାଜପୁର: ସାରା ବିଶ୍ୱ ଗତକାଲି ପାଳନ କରିଛି ଅନ୍ତର୍ଜାତୀୟ ମହିଳା ଦିବସ । ମହିଳାଙ୍କ ମହାନତାକୁ ନେଇ ଅନେକ ବାର୍ତ୍ତା ସୋଶାଲ ମିଡିଆଠାରୁ ଆରମ୍ଭ କରି ସଭା, ସମିତିରେ ଶୁଣିବାକୁ ମିଳିଥିଲା।  ହେଲେ ଏହାର ଗୋଟିଏ ଦିନ ପରେ ସାମ୍ନାକୁ ଆସିଛି ଏକ ଲଜ୍ଜାଜନକ ଘଟଣା। ସାରା ବିଶ୍ୱ ନାରୀ ସମ୍ମାନ ଉଦ୍ଦେଶ୍ୟରେ ମହିଳା ଦିବସ ପାଳନ ପାଇଁ ପ୍ରସ୍ତୁତ ହେଉଥିବାବେଳେ ଜଣେ ଯୁକ୍ତଦୁଇ ପଢୁଥିବା ଛାତ୍ରୀ  ଗଣଦୁଷ୍କର୍ମର ଶିକାର ହୋଇଥିଲେ। ଏପରି ଅଭିଯୋଗ ଅସିଛି ଯାଜପୁର ଜିଲ୍ଲାରୁ।

ଘଟଣା ଘଟିଛି ଗତ ୭ ତାରିଖ ରାତିରେ। ଅଭିଯୋଗରୁ ଜଣାଯାଇଛି,  ଯାଜପୁର ଜିଲ୍ଲା କାଳିଆପାଣି ଥାନା କଲରଙ୍ଗି ଖଣି ଅଞ୍ଚଳରେ ଡୁବୁରୀ ଅଞ୍ଚଳର ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଛି। ଛାତ୍ରୀ ଜଣକ ବ୍ରାହ୍ଣଣୀପାଳସ୍ଥିତ ଏକ ଘରୋଇ କମ୍ପାନୀରୁ ଛାତ୍ରବୃତ୍ତି ନେବାକୁ ତାଙ୍କ ପୁରୁଷ ବନ୍ଧୁଙ୍କ ସହ କାଳିଆପାଣି ଆସିିଥିଲେ ।  ଶିକ୍ଷାବୃତ୍ତି ଆଣିବା ପରେ ଉଭୟେ କୌଣସି କାରଣରୁ  କାଳିଆପାଣିରେ ରାତିରେ ରହିଥିଲେ। ସନ୍ଧ୍ୟା ସମୟରେ କାଳିଆପାଣି ବଜାରକୁ ଯାଉଥିଲେ।

ତେବେ କାଳିଆପାଣୀ ନିକଟରେ ୪ ଜଣ ଦୁର୍ବୃତ୍ତ ସେମାନଙ୍କୁ ଅନୁସରଣ କରିଥିଲେ।  କଲରଙ୍ଗି ନିକଟରେ ଏକ ନିଛାଟିଆ ରାସ୍ତାରେ ଅଟକାଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିଲେ । ଯୁବତୀଙ୍କ ପୁରୁଷ ବନ୍ଧୁ ଏହି ଘଟଣାକୁ ବିରୋଧ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ମଧ୍ୟ ଆକ୍ରମଣ କରିଥିବା ଜଣାଯାଇଛି।  ଛାତ୍ରୀ ଜଣକ ଅସହାୟ ଅବସ୍ଥାରେ ଦୌଡି ଯାଇ ନିକଟରେ ଥିବା ଜଣେ ମହିଳା ଗୃହରକ୍ଷୀଙ୍କ ଘରେ ପଶି ଯାଇଥିଲେ ।

ସଂପୃକ୍ତ ଗୃହରକ୍ଷୀଙ୍କଠାରୁ ଖବରପାଇ କାଳିଆପାଣି ପୋଲିସ ପୀଡିତାଙ୍କୁ ଉଦ୍ଧାର କରିବା ସହ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ପଠାଇ ଦିଆଯାଇଛି। ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ OISFରେ ରୋଷେୟା ଭାବେ କାମ କରୁଥିବା ସୂଚନା ମିଳିଛି। ତାଙ୍କର ନାମ  ସନ୍ତୋଷ ପୃଷ୍ଟି ଓ ବୟସ ୩୧ ବର୍ଷ ବୋଲି ଜଣାଯାଇଛି। ଅନ୍ୟ ୩ ଅଭିଯୁକ୍ତ ହେଲେ ବବଲୁ, ସିଲୁ ଓ ରବି। ଏମାନଙ୍କ ବୟସ କୋଡିଏ ବର୍ଷ ବୋଲି ଜଣାପଡିଛି। ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ଆହୁରି ପଢନ୍ତୁ : ସଫଳ ମହିଳାଙ୍କ ପ୍ରେରଣାଦାୟୀ କାହାଣୀ

Other Stories