ସାହାସ ଦେଖାଇଲେ ବୁଲେଟ୍‌ ରାଣୀ; ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ଲୁଟେରାଙ୍କୁ ଧରିଲେ

ଭୁବନେଶ୍ୱର: ସାହସ ଦେଖାଇ ଲୁଟେରାକୁ କାବୁ କଲେ ଯୁବତୀ। ନ ଡରି ପୁରା ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ଲୁଟେରାଙ୍କୁ ଧରିଲେ ଏହି ଯୁବତୀ। ଘଟଣା ଘଟିଛି ଭୁବନେଶ୍ୱର ଡୁମଡୁମା ଅଞ୍ଚଳରେ।

ଗତକାଲି ରାତି ପ୍ରାୟ ସାଢ଼େ ୮ଟାରେ କାମ ସାରି ରିନୁ ବୁଲେଟରେ ଘରକୁ ଫେରୁଥିଲେ। ତାଙ୍କୁ ପିଛା କରିଥିଲେ ୨ ଜଣ ଯୁବକ। ସେ ଏହା ଜାଣିପାରିବା ଟିକେ ସାଇଡ୍ ହୋଇ ଗାଡ଼ି ଅଟକି ରହି ଯାଇଥିଲେ। ଏହି ସମୟରେ ଫୋନ୍ ଆସିବାରୁ ସେ ପକେଟରୁ ମୋବାଇଲ ଫୋନ୍ ବାହାର କଲେ। ଏହି ସମୟରେ ଆଖିପିଛୁଳାକେ ତାଙ୍କୁ ପିଛା କରୁଥିବା ଦୁଇ ଯୁବକ ଆସି ତାଙ୍କ ମୋବାଇଲ ଛଡ଼ାଇ ନେଇ ଦ୍ରୁତ ଗତିରେ ପଳାଇଥିଲେ।

ହେଲେ ରିନୁ ନ ଡରି ବୁଲେଟ୍‌ରେ ଲୁଟେରାଙ୍କୁ ଗୋଡ଼ାଇ ଥିଲେ। ଏକ ଛକରେ ଲୁଟେରାମାନେ ୟୁ ଟର୍ଣ୍ଣ ମାରି ପଳାଇବାକୁ ଚେଷ୍ଟା କରିବା ବେଳେ ରିନୁ ବାଇକ୍‌ ପଛରେ ବସି ଥିବା ଦୁର୍ବୃତ୍ତଙ୍କ ଶର୍ଟ କଲର୍‌ ଧରି ପକାଇଥିଲେ। ଏହାପରେ ଉଭୟ ତଳେ ପଡ଼ି ଯାଇଥିଲେ। ହେଲେ ବାଇକ୍‌ ଚଳାଉଥିବା ଦୁର୍ବୃତ୍ତ ଜଣକ ଗାଡ଼ି ଛାଡ଼ି ପଳାଇଥିବା ବେଳେ ଅନ୍ୟ ଜଣେ ଦୁର୍ବୃତ୍ତଙ୍କୁ ରିନୁ ଆଦୌ ଛାଡ଼ି ନଥିଲେ। ଦୁର୍ବୃତ୍ତ ଜଣଙ୍କ ରିନୁଙ୍କୁ ଲାତ ଗୋଇଠା ମାରିଥିଲେ ମଧ୍ୟ ସେ ତାଙ୍କୁ ନଛାଡ଼ି ଜୋରରେ ଚିତ୍କାର କରିଥିଲେ। ରିନୁଙ୍କ ଚିତ୍କାର ଶୁଣି ଆଖପାଖରେ ଥିବା ଲୋକମାନେ ଘଟଣାସ୍ଥଳକୁ ଆସି ଲୁଟେରାଙ୍କୁ କାବୁ କରିଥିଲେ।

ଡୁମଡୁମା ଭଳି ବ୍ୟସ୍ତବହୁଳ ଅଞ୍ଚଳରେ ସନ୍ଧ୍ୟା ସମୟରେ ଲୁଟେରାଙ୍କ ଏଭଳି ଆତଙ୍କରାଜକୁ ନେଇ ପୋଲିସ୍‌ ପାଟ୍ରୋଲିଂକୁ ନେଇ ପ୍ରଶ୍ନ ଉଠିଛି।

You might also like