ବାହା ବେଦୀରେ କନ୍ୟା କହିଲା, ‘ଏମିତି ବରକୁ ବାହା ହେବିନି’

ସମ୍ବଲପୁର: ବରଯାତ୍ରୀ ଆସିଲେ । ଧୁମ୍‌ଧାମ୍‌ରେ ଭୋଜିଭାତ ସରିଲା । ତା ପରେ ଆରମ୍ଭ ହେଲା ପାରମ୍ପରିକ ବାହାଘର କାର୍ଯ୍ୟକ୍ରମ। ହେଲେ ବର ଯେତେବେଳେ ବେଦୀ ଉପରକୁ ଗଲା, ସେତେବେଳେ ସବୁ ଗଡ଼ବଡ଼ ହୋଇଗଲା। ମଦ ନିଶାରେ ଟଳମଳ ହୋଇ ବର ବେଦୀକୁ ଯାଇଥିଲା। ବେଦୀରେ ସେ ଠିକ୍‌ରେ ବସି ବି ପାରୁ ନଥିଲା ଓ ମଝିରେ ମଝିରେ ଖସି ପଡ଼ୁଥିଲା। ବରର ଏପରି ଅବସ୍ଥା ଦେଖି କନ୍ୟା ବେଦୀରୁ ଉଠି ଗଲା ଆଉ ସାହାସର ସହିତ ଘୋଷଣା କଲା ‘ଏମିତି ବରକୁ ବାହା ହୋଇ ପାରିବିନି।’ ବାସ୍‌ ! ବାହାଘର ବନ୍ଦ ହୋଇଗଲା ଆଉ ଶେଷରେ ବର ଶିଶୁପାଳ ହୋଇ ଫେରି ଯାଇଥିଲା। ରବିବାର ଦିନ ଏମିତି ଏକ ଘଟଣା ଘଟିଯାଇଛି, ସମ୍ବଲପୁର ଜିଲ୍ଲା ଜୁଜୁମରା ବ୍ଲକ୍ ଗୋବର୍ଦ୍ଧନ ବଡ଼ମାଲ ଗାଁରେ।

ଗାଁର ଭିକ ଭୁଏଙ୍କ ଝିଅ ମମତାଙ୍କର ବାହାଘର ନାକଟିଦେଉଳ ବ୍ଲକ୍ ଅଞ୍ଚଳର ସୁରେନ୍ଦ୍ରଙ୍କ ସହିତ ଠିକ୍‌ ହୋଇଥିଲା। ନିର୍ଦ୍ଧାରିତ ତିଥିରେ ସୁରେନ୍ଦ୍ର ବନ୍ଧୁବାନ୍ଧବଙ୍କୁ ସାଥୀରେ ନେଇ ଝିଅ ଘରେ ପହଞ୍ଚିଥିଲେ। ତେବେ ବାହା ହେବାକୁ ଆସିଥିବା ସୁରେନ୍ଦ୍ର ନିଜେ ମଦ ପିଇ ଦେଇଥିଲେ। ଏତେ ମଦ ପିଇଥିଲେ ଯେ ତାଙ୍କର ଆଉ ହୋସ୍ ନଥିଲା। ସେ କ’ଣ କହୁଥିଲେ,  ନିଜେ ବି ଜାଣିପାରୁ ନଥିଲେ।  ତାଙ୍କର ଏପରି ଅବସ୍ଥା ଦେଖି ମମତା ବାହା ହେବେନି ବୋଲି ରୋକ୍‌ଠୋକ୍ ମନା କରି ଦେଇଥିଲେ। ଏହା ପରେ ଜାତିଭାଇଙ୍କ ଉପସ୍ଥିତିରେ ଏ ବାହାଘରକୁ ବନ୍ଦ କରାଯାଇଥିଲା।

ସୂଚନା ଅନୁଯାୟୀ, ନିଶା ଭାଙ୍ଗିବା ପରେ ସୁରେନ୍ଦ୍ର ବାହା ହେବା ପାଇଁ ମମତାଙ୍କୁ ଅନୁରୋଧ କରିଥିଲେ। ତେବେ ସେ ଆଦୌ ରାଜି ହୋଇ ନଥିଲେ। ଏପରିକି ଜାତିଭାଇ ମଧ୍ୟ ମମତାଙ୍କ ଏପରି ନିଷ୍ପତିକୁ ସମର୍ଥନ କରିଥିଲେ। ମମତାଙ୍କ ଏହି ସାହସିକତାକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜାତିଭାଇ ପ୍ରଶଂସା କରିଛନ୍ତି।

You might also like