ମିକ୍ସର ବିକୁଥିଲେ, କଠିନ ପରିଶ୍ରମ କରି ଏବେ ବିଏସଏଫରେ ଚାକିରି ପାଇଲେ ଅଭାବୀ ବାପାର ଝିଅ ଦିପ୍ତୀ

ପୁରୀ(ନୀଳକଣ୍ଠ ପ୍ରଧାନ,ଅଶୋକ ବ୍ରହ୍ମା):ଆତ୍ମବିଶ୍ୱାସ ଆଗରେ ହାର ମାନେ ସମସ୍ତ ବାଧାବିଘ୍ନ। ଆର୍ଥିକ ଅନଟନ କିଛି ଫରକ୍ ପକାଏନି। ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ। ଆଉ ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି ପୁରୀ ଝିଅ ଦିପ୍ତୀ। ବାପାଙ୍କ ସହ ମିଶି ମିକ୍ସର ତିଆରି କରି ଘର ଚଳାଉଥିବା ଅଭାବୀ ଝିଅର ଇଚ୍ଛା ଥିଲା ଭାରତୀୟ ସେନା ବାହିନୀରେ ଯୋଗଦେବ, ଆଉ ଶତ୍ରୁ ସହ ଲଢ଼େଇ କରିବେ। ଆଜି ତାଙ୍କର ଏହି ସ୍ୱପ୍ନ ପୁରଣ ହୋଇଛି। ବିଏସଏଫରେ ସେ ଚାକିରି ପାଇ ଅନ୍ୟ ପାଇଁ ଉଦାହରଣ ସାଜିଛନ୍ତି ।

ପୁରୀ ଜିଲା କୃଷ୍ଣ ପ୍ରସାଦ ଗ୍ରାମରେ ରହୁଥିବା ଦିପ୍ତୀମୟି ତରାଇଙ୍କର ମା ମିକ୍ସର ତିଆରି କରନ୍ତି, ଆଉ ବାପାଙ୍କ ସହ ଗାଡିରେ ବୁଲି ସେ ମିକ୍ସର ବିକ୍ରି କରନ୍ତି। ଆଉ ସେଥିରେ ଦିପ୍ତୀମୟି ମଧ୍ୟ ସାହାଯ୍ୟ କରନ୍ତି। ମିକ୍ସର ବିକା ଟଙ୍କାରେ ପରିବାର ଚଳେ। ପିଲାବେଳୁ ବେଶ୍ ସାହସୀ, ଆଉ ପିଲାବେଳୁ ହିଁ ତାଙ୍କର  କେବଳ ଗୋଟିଏ ଗୋଟିଏ ସ୍ୱପ୍ନ ଭାରତୀୟ ସେନା ବାହିନୀରେ ଯୋଗଦେବେ। ଶତ୍ରୁ ଆଖିରେ ଆଖି ମିଶାଇ ଦେଶ ପାଇଁ ଲଢ଼େଇ କରିବେ ଆଉ ଦେଶକୁ ସୁରକ୍ଷା ଦେବେ। ହେଲେ ତାଙ୍କର ଏହି ସ୍ୱପ୍ନରେ ଅର୍ଥ ସାଜିଥିଲା ବାଧକ।  ତଥାପି ସେ ହାର ମାନିନଥିଲେ।

ଦେଶ ସେବା କରିବାର ନିଜର ଇଚ୍ଛାକୁ ପୂରଣ ପାଇଁ ୨୦୧୮ ମସିହାରେ ବ୍ରହ୍ମପୁର ଚାଲିଯାଇଥିଲେ। ଆଉ ସେଠାରେ ସାମନ୍ତରାୟ ଏକାଡେମିରେ ରହି ସେନା ବାହିନୀରେ ଯୋଗଦେବାକୁ ପ୍ରସ୍ତୁତି ଆରମ୍ଭ କରିଥିଲେ। ହେଲେ ଦୁଇ ଦୁଇ ଥର ପରୀକ୍ଷା ଦେଇ ମଧ୍ୟ ଅସଫଳ ହୋଇଥିଲେ। ବିଫଳତା ସତ୍ତ୍ୱେ ହାର ମାନି ନଥିଲେ, ଉଦ୍ୟମ ଜାରି ରଖିଥିଲେ। ଶେଷରେ ଆଜି ସେ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିଛନ୍ତି। ଝିଅ ଚାକିରୀ ପାଇଥିବା ଖବର ପାଇ ବାପା ମାଙ୍କ ଆଖରୁ ଲୁହ ଝରିଯାଇଛି। ବହୁ କଷ୍ଟ କରି ଚାକିରୀ ପାଇଥିବା ବାପା କହିଥିଛନ୍ତି,  ମା ଝିଅ ପାଇଁ ଗର୍ବିତ, ମୋ ଝିଅ ଦେଶର ସେବା କରିବ। ସେଥିପାଇଁ ମୁଁ ବହୁତ ଖୁସି।

ସେପଟେ ଦିପ୍ତିଙ୍କୁ ପ୍ରଶିକ୍ଷଣ ଦେଉଥିବା ଶିକ୍ଷକ କହିଛନ୍ତି, ମୁଁ ଜାଣିଥିଲି ସେ ନିଶ୍ଚୟ ଚାକିରି ପାଇବ। ତାହାର ଦୃଢ଼ ଇଚ୍ଛାଶକ୍ତି ଓ ପରିଶ୍ରମ ଯୋଗୁଁ ସେ ଆଜି ସଫଳ ହୋଇଛି ଏବଂ ଚାକିରୀ ପାଇଛି। ସେପଟେ ଦିପ୍ତିଙ୍କୁ ନେଇ ତାଙ୍କ ସାଙ୍ଗ ମାନେ ମଧ୍ୟ ବେଶ୍‌ ଖୁସ୍‌ ଅଛନ୍ତି। ସବୁ ବାଧାବିଘ୍ନକୁ ପଛରେ ପକାଇ ଦିପ୍ତୀ ଯେଉଁଭଳି ଭାବେ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିଛନ୍ତି ତାହା ଏବେ ଅନ୍ୟପାଇଁ ଏକ ଉଦାହରଣ ସାଜିଛି।

You might also like