ସର୍ବଭାରତୀୟ ରାଙ୍କିଙ୍ଗ୍‌ରେ ସ୍ଥାନ ପାଇଲା ଗିଫ୍ଟ ଇଂଜିନିୟରିଂ କଲେଜ

ଭୁବନେଶ୍ୱର: ଅଟଳ ରାଙ୍କିଙ୍ଗ୍ ଅଫ୍ ଇନଷ୍ଟିଚ୍ୟୁସନ୍ ଅନ୍ ଇନୋଭେସନ୍‌ ଆଚିଭମେଣ୍ଟ-୨୦୨୦ (ARIIA) ତାଲିକାରେ ସ୍ଥାନ ପାଇଛି ଓଡ଼ିଶାର ଗିଫ୍ଟ ଇଂଜିନିୟରିଂ କଲେଜ। ରାଙ୍କ୍ ୨୬ରୁ ୫୦ ଭିତରେ ଏହି କଲେଜକୁ ସ୍ଥାନ ଦିଆଯାଇଛି। ଏହାକୁ ସର୍ବଭାରତୀୟ ସ୍ତରରେ ବ୍ୟାଣ୍ଡ ‘ବି’ ଇନଷ୍ଟିଚ୍ୟୁସନ୍ ହିସାବରେ ସ୍ୱୀକୃତି ଦିଆଯାଇଥିବା କଲେଜ ପକ୍ଷରୁ ସୂଚନା ଦିଆଯାଇଛି।

କେନ୍ଦ୍ର ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ, ଶିକ୍ଷା ମନ୍ତ୍ରଣାଳୟ ଓ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦର ମିଳିତ ଆନୁକୂଲ୍ୟରେ ଏହି ରାଙ୍କିଙ୍ଗ୍ ତାଲିକା ଘୋଷଣା କରାଯାଇଛି ବୋଲି କଲେଜ ପକ୍ଷରୁ କୁହାଯାଇଛି।

ଭୁବନେଶ୍ୱରଠାରେ ଥିବା ଗିଫ୍ଟ ଇଂଜିନିୟରିଂ କଲେଜ ଗତ ୧୪ ବର୍ଷ ଧରି ବୈଷୟିକ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିଆସିଛି। ଆଧୁନିକ ଶିକ୍ଷାପଦ୍ଧତି, ଗବେଷଣା, ପ୍ରଯୁକ୍ତି ଏବଂ ନିଯୁକ୍ତି କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ସହଯୋଗ କରିବାକୁ ଏହା ଉଦ୍ୟମ କରିଆସିଛି। ବହୁ ଛାତ୍ରଛାତ୍ରୀ ଏଠାରେ ଶିକ୍ଷାଲାଭ କରି ନିଜର କ୍ୟାରିୟର ଗଢ଼ିଛନ୍ତି।

ଗିଫ୍ଟର ଭାଇସ୍‌ ଚେୟାରମ୍ୟାନ ଇଂ ପତିତପାବନ ପଣ୍ଡା ଓ ଅଧ୍ୟକ୍ଷ ଡଃ ଏସ୍.ଏନ୍ ପଟ୍ଟନାୟକ ଏହି ସଫଳତା ପାଇଁ ଗିଫ୍ଟ ଇଂଜିନିୟରିଂ କଲେଜର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ, ଅଭିଭାବକଙ୍କୁ ଶ୍ରେୟ ଦେଇଛନ୍ତି।

You might also like