ପଞ୍ଚମ ଆକ୍ରାନ୍ତଙ୍କ ଘରେ ହୋଇଥିଲା ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

ଭୁବନେଶ୍ୱର: ରାଜ୍ୟର ପଞ୍ଚମ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ତଥ୍ୟ ପାଇବା ପରେ କଠୋର ପଦକ୍ଷେପ ନେଇଛି ବିଏମ୍‌ସି। ରାଜ୍ୟର ପଞ୍ଚମ କରୋନା ଆକ୍ରାନ୍ତ ପ୍ରଦୀପ୍ତ ଦଳବେହେରାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବିଶେଷଙ୍କୁ ହୋମ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦେଇଛି ବିଏମସି। ଏହାବ୍ୟତୀତ ଏକ ବଡ ଖବର ସାମ୍ନାକୁ ଆସିଛି। ସଂପୃକ୍ତ ବ୍ୟକ୍ତିଙ୍କ ଘରେ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଏଥିରେ ବହୁ ଲୋକ ଯୋଗ ଦେଇଥିଲେ।

ମାର୍ଚ୍ଚ ୧ରୁ ପଞ୍ଚମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ  ଆସିଥିବା ବ୍ୟକ୍ତିଙ୍କୁ ୧୪ ଦିନ ପାଇଁ ନିଜକୁ ହୋମ୍ କ୍ୱାରେଣ୍ଟାଇନ୍‌ରେ ରଖିବାକୁ ପରାମର୍ଶ ଦେଇଛି ବିଏମ୍‌ସି । ସେମାନେ ୧୦୪ରେ ନାଁ ରେଜିଷ୍ଟ୍ରି କରି ନିଜକୁ ୧୪ ଦିନ ପାଇଁ ହୋମ୍ କ୍ୱାରେଣ୍ଟାଇନ ରଖନ୍ତୁ ବୋଲି କହିଛି । କିଛି ଲକ୍ଷଣ ଦେଖାଗଲେ ସରକାରୀ ନିୟମ ମୁତାବକ କାର୍ଯ୍ୟ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।
ଅନ୍ୟପକ୍ଷେ ଆକ୍ରାନ୍ତଙ୍କ ଘରେ ଗାୟତ୍ରୀ ପୂଜା କରଯାଇଥିବା ଖବରକୁ ନେଇ ପ୍ରଶାସନର ଚିନ୍ତା ବଢି ଯାଇଛି। ସ୍ଥାନୀୟ ଜଣେ ବାସିନ୍ଦା କହିଛନ୍ତି ଯେ,  ମାର୍ଚ୍ଚ ୧୫ ତାରିଖରେ ସଂପୃକ୍ତ କରୋନା ଆକ୍ରାନ୍ତଙ୍କ ଘରେ ଏକ ଗାୟତ୍ରୀ ପୂଜା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।  ଏଥିରେ ୨୫ରୁ ୩୦ ଲୋକ ସାମିଲ ହୋଇଥିଲେ। ତାଙ୍କ ଘରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା ବୋଲି ସେ ସୂଚନା ଦେଇଛନ୍ତି। ଯଦି ଏହା ସତ ହୋଇଥାଏ ତେବେ ତାଙ୍କ ସଂସ୍ପର୍ଶରେ ଅନେକ ଲୋକ ଆସିଥିବା ଆଶଙ୍କା କରାଯାଉଛି।

ସୂଚନାଥାଉ କି,  ସମ୍ପୃକ୍ତ ଆକ୍ରାନ୍ତ ପ୍ରଦୀପ୍ତ ଦଳବେହେରା ଭୁବନେଶ୍ୱର ସୂର୍ଯ୍ୟନଗର ଅଞ୍ଚଳର ବାସିନ୍ଦା। ସେ ମାର୍ଚ୍ଚ ୫ ତାରିଖରେ ପ୍ରଦୀପ ସୂର୍ଯ୍ୟନଗର ମହାଶକ୍ତି କ୍ଲିନିକ୍‌ ଯାଇଥିଲେ। ମାର୍ଚ୍ଚ ୧୨ ତାରିଖରେରେ ସେ ପୁଣି ଥରେ ସେହି କ୍ଲିନିକକୁ ଯାଇଥିଲେ। ମାର୍ଚ୍ଚ ୨୭ ତରିଖ ଅପରାହ୍ନରେ ସେ ସମ୍‌ ହସ୍ପିଟାଲ OPD ଯାଇଥିଲେ। ମାର୍ଚ୍ଚ ୨୮ ତାରିଖରେ ଏମ୍‌ସ OPD ଯାଇ ଘରକୁ ଫେରିଥିଲେ।

ଏପରିକି ମାର୍ଚ୍ଚ ୩୧ରେ ଶ୍ୱାସକ୍ରିୟାରେ କଷ୍ଟ ପାଇଁ ସେ ଏମ୍‌ସରେ ଭର୍ତ୍ତି ହୋଇଥିଲେ। ୩୧ ତାରିଖରେ ସ୍ୱାବ୍‌ ସାମ୍ପଲ୍‌ ସଂଗ୍ରହ କରାଯାଇ ଟେଷ୍ଟ କରାଯାଇଥିଲା। ଏପ୍ରିଲ ୧ ତାରିଖରେ ପଜିଟିଭ ରିପୋର୍ଟ ଆସିଥିଲା ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି।

You might also like