ହନୁମାନ ପଇସା, ରତ୍ନ ପଥର ଜବତ; ଧରାପଡ଼ିଲେ ୩ଜଣ

ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରୁ ଆନ୍ତଃରାଜ୍ୟ ଚୋରା କାରବାର ରାକେଟ୍ ଠାବ ହୋଇଛି। ଏହି ଘଟଣାରେ ଚିତ୍ରକୋଣ୍ଡା ପୋଲିସ ୩ ଜଣଙ୍କୁ ଗିରଫ କରିବା ସହ ବିପୁଳ ପରିମାଣର ରତ୍ନ ପଥର, ତମ୍ବା ପଇସା, ହନୁମାନ ପଇସା ଆଦି ଜବତ କରିଛି। ଏହି ରାକେଟ୍‌ର ଚେର ଆନ୍ଧ୍ରକୁ ଲମ୍ବିଥିବା ସୂଚନା ମିଳିଛି।

ଚିତ୍ରକୋଣ୍ଡା ସଦର ମହକୁମା ସ୍ଥିତ ଦୈନିକ ବଜାରର ମୋହନ ତ୍ରିବେଦୀଙ୍କ ଘରେ ପୋଲିସ୍‌ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ହନୁମାନ ପଇସା, ରତ୍ନ ପଥର, ବହୁ ପୁରୁଣା ତମ୍ବା ପଇସା, ହରିଣ ଛାଲ, ଡବଲ ବ୍ୟାରେଲ ବନ୍ଧୁକ, ନଗଦ ୧୨,୩୧୦ ଟଙ୍କା, ୩ଟି ମୋବାଇଲ, ଗୋଟିଏ ସ୍କୁଟି ଓ ଏଟିଏମ୍‌ କାର୍ଡ ଇତ୍ୟାଦି ଜବତ ହୋଇଛି। ଏକ ହରିଣ ଚମଡ଼ା ମଧ୍ୟ ଜବତ କରାଯାଇଛି। ତେଣୁ ଏହି ଅଞ୍ଚଳରେ ବନ୍ୟଜନ୍ତୁ ଶିକାର ରାକେଟ ସକ୍ରିୟ ଥିବା ପୋଲିସ୍‌ ଅନୁମାନ କରୁଛି।

ଏହି ଘଟଣାରେ ପୋଲିସ୍‌ ଘର ମାଲିକ ଓ ଅନ୍ୟ ୨ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରୁ ଜଣଙ୍କ ଘର ଓଡ଼ିଶା ହୋଇଥିବା ବେଳେ ଆଉ ଦୁଇ ଜଣଙ୍କ ଘର ଆନ୍ଧ୍ରପ୍ରଦେଶର ବୋଲି ଜଣାପଡ଼ିଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଧରାପଡ଼ିଥିବା ଏହି ୩ ବ୍ୟକ୍ତି ବହୁ ଦିନ ହେଲା ଏଠାରେ ରହି ଜାଲ୍‌ ରାକେଟ୍ ଚଳାଇବା ସହ ଗରିବ ଆଦିବାସୀ ଲୋକଙ୍କୁ ଜାଲ୍‌ ରତ୍ନ ପଥର,ଜାଲ୍‌ ତମ୍ଭା ପଇସା, ହନୁମାନ ପଇସା ନାଁରେ ଠକୁ ଥିବା ପୋଲିସ୍‌ କହିଛି। 

ଚିତ୍ରକୋଣ୍ଡା ସଦର ମହକୁମା ଆନ୍ଧ୍ର ଓଡ଼ିଶା ସୀମାନ୍ତରେ ଥିବାରୁ ଏହାର ସୁଯୋଗ ନେଇ ଆନ୍ଧ୍ରପ୍ରଦେଶର ଚୋରା ବେପାରୀ ଏଠାରେ ବିଭିନ୍ନ ଜାଲ୍‌ ବେପାର ଚଳାଇଛନ୍ତି। 

You might also like