ଉଦ୍ଧାର କରିବାକୁ ଯାଉଥିଲେ, ଦୁର୍ଘଟଣାରେ ଶିକାର ହେଲେ

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଗଞ୍ଜାମ ଜିଲ୍ଲା ଛତ୍ରପୁରର ତାମ୍ପରା ଜାତୀୟ ରାଜପଥରେ ଏକ ଗ୍ୟାସ୍‌ ଟ୍ୟାଙ୍କର ଓଲଟି ପଡ଼ିଥିବା ସ୍ଥାନରେ ଆଉ ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ସ୍ଥଳକୁ ଆସୁଥିବା ଏକ ପୋଲିସ୍‌ ଭ୍ୟାନ୍‌ ଓଲଟି ପଡ଼ିବାରୁ ୫ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଅନ୍ୟ ୪ ଜଣଙ୍କୁ ଏମ୍‌କେସିଜିରେ ଭର୍ତ୍ତି କରାଯାଇଛି।

ସୂଚନାଥାଉ କି, ଆଜି ସକାଳେ ତାମ୍ପରା ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଏକ ଗ୍ୟାସ୍‌ ଟ୍ୟାଙ୍କର ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଖବରପାଇ ପୋଲିସ୍‌ ଭ୍ୟାନ୍‌ରେ ୫ ଜଣ ପୋଲିସ କର୍ମଚାରୀ ଦୁର୍ଘଟଣାସ୍ଥଳକୁ ଯାଉଥିଲେ। ତେବେ ଦୁର୍ଘଟଣାସ୍ଥଳଠାରୁ ଅଳ୍ପ କିଛି ବାଟ ଦୂରରେ ଜଣେ ସାଇକେଲ୍ ଆରୋହୀଙ୍କୁ ସାଇଡ୍ ଦେବାକୁ ଯାଇ ପୋଲିସ୍‌ ଭ୍ୟାନ୍‌ଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା।

ଅନ୍ୟପକ୍ଷରେ, ଛତ୍ରପୁର ନିକଟରେ ଓଲଟିଥିବା ଗ୍ୟାସ୍ ଟ୍ୟାଙ୍କର ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏକ ବିଶେଷଜ୍ଞ ଟିମ୍ ପହଞ୍ଚି ଟ୍ୟାଙ୍କରରୁ ଗ୍ୟାସ୍ ବାହାର କରିବା ସହ ଏହାକୁ ରାସ୍ତାରୁ ହଟାଇବାକୁ ଚେଷ୍ଟା କରୁଛନ୍ତି। ପୁରା ଅଞ୍ଚଳକୁ ଖାଲି କରାଯିବା ସହ ଯେପରି ସାଧାରଣଲୋକ କେହିବି ସେହି ସ୍ଥାନକୁ ପହଞ୍ଚିବେନି ସେ ନେଇ ବ୍ୟବସ୍ଥା ହୋଇଛି।

ଟ୍ୟାଙ୍କରରୁ କିଛି ମାତ୍ରାରେ ଗ୍ୟାସ୍ ଲିକ୍ ହେଉଛି, ତେଣୁ ଏହାକୁ ରୋକିବାକୁ ପାଣି ସିଞ୍ଚନ କରାଯାଉଛି। ଏହାସହ ଜାତୀୟ ରାଜପଥରେ ଗାଡ଼ି ଚଳାଚଳକୁ ସାମୁହିକ ଭାବେ ବନ୍ଦ କରାଯାଇଛି। ଛତ୍ରପୁର ସହରର ବିଦ୍ୟୁତ୍‌ ସଂଯୋଗକୁ କାଟି ଦିଆଯାଇଛି। ଯେହେତୁ ଟ୍ୟାଙ୍କର ଇନ୍ଧନ ଗ୍ୟାସ୍ ରହିଛି ସେ ନେଇ ଛତ୍ରପୁର ଓ ଆଖପାଖ ଲୋକଙ୍କୁ ଏଦିଗରେ ସତର୍କ ଓ ସଚେତନ କରାଯାଇଛି। ଅଗ୍ନିଶମ, ପୋଲିସ୍ ଏବଂ ସ୍ଥାନୀୟ ପ୍ରଶାସନର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି।

You might also like