ଲୋପ ପାଇଯାଇଛି ରାଜତନ୍ତ୍ର, ତଥାପି ଲିଭିନି ଜୁଇର ନିଆଁ
ଆସିକା(ମନୋଜ ମୁନି): ୨୬୧ ବର୍ଷ ଧରି ଲିଭିନି ଜୁଇ ନିଆଁ । ବର୍ଷ ପରେ ବର୍ଷ ଏହି ନିଆଁ ଜଳୁଛି। ରାଜତନ୍ତ୍ର ବିଲୋପକୁ ଅନେକ ବର୍ଷ ବିତିଥିଲେ ମଧ୍ୟ ଏବେବି ଅନେକ ସ୍ଥାନରେ ରାଜକୀୟ ପ୍ରଥା ଓ ପରମ୍ପରା ବଜାୟ ରହିଛି । ସିଂହାସନ ଆହୋରଣ, ଦେବନୀତି ଓ ରାଜବଂଶ ପରମ୍ପରାରେ ଅନେକ ପ୍ରଥା ପାଳିତ ହୋଇ ଆସୁଛି ଏଭଳି ଏକ ରାଜକୀୟ ପରମ୍ପରା ପାଳିତ ହୋଇ ଆସୁଛି । ଗଂଜାମ ଜିଲ୍ଲା ଧରାକୋଟ ରାଜବଂଶରେ ଏଠାରେ ରହିଥିବା ସତୀମଠରେ ଏବେବି ଜଲୁଛି ସତୀ ଚିତା ।
ଗଂଜାମ ଜିଲ୍ଲା ଧରାକୋଟର ସତୀମଠ ଋଷିକୂଲ୍ୟା ନଦୀର ଉତ୍ତର ଦିଗରେ ଥିବା ଜଗମୋହନ ଗାଁ ନିକଟରେ ରହିଛି ସତୀମଠ । ପ୍ରାୟ ୨୬୧ ବର୍ଷ ହେବ ଏଠାରେ ଜଳୁଛି ଏହି ସତୀଚିତା । ୧୭୫୮ ମସିହାରେ ଧରାକୋଟ ରାଜା ଜୟସିଂହଙ୍କ ଦେହାନ୍ତ ପରେ ରାଜା ଜୟସିଂହଙ୍କୁ ରାଜବଂଶର ଶ୍ମଶାନରେ ସତ୍କାର କରାଯାଇଥିଲା । ସେତେବେଳେ ରାଜାଙ୍କ ଜୁଇର ଶିଖାରେ ନିଜକୁ ସମର୍ପଣ କରିଥିଲେ ରାଣୀ ପଦ୍ମମାଳା ଦେବୀ । ଏହି ଶ୍ମଶାନର ଜୁଇକୁ ନେଇ ନିଜ ଆଶ୍ରମରେ ଜଳାଇ ରଖିଥିଲେ ସନ୍ୟାସୀ ନିରାକାର ଦାଶ। ଆଉ ସେହିଦିନଠାରୁ ଏଠାରେ ସତୀଚିତା ଦିଗ ଦିଗ ହୋଇ ଜଳି ଆସୁଛି। ସତୀଚିତାକୁ ଜଳାଇ ରଖିବାକୁ ସତୀମଠକୁ ୧୨ ଏକର ଜମି ପ୍ରଦାନ କରିଥିଲେ ରାଜା ରାଜେନ୍ଦ୍ର ସିଂହ। ରାଜା ଜୟସିଂହ ଏବଂ ରାଣୀ ପଦ୍ମମାଳାଙ୍କ ସତୀଚିତାକୁ ଆଜି ପର୍ଯ୍ୟନ୍ତ ସାଇତି ରଖାଯାଇଛି । ଏବେବି ରାଜବଂଶରେ କାହାର ଦେହାନ୍ତ ହେଲେ ଏହି ସତୀମଠରେ ସତ୍କାର କରାଯାଉଛି ।
ଧରାକୋଟ ରାଜବଂଶରେ ଆଜିବି ପାଳିତ ହୋଇ ଆସୁଛି ଏହି ପ୍ରଥା ଓ ପରମ୍ପରା । ଏହି ସତୀମଠ ଧରାକୋଟ ରାଜବଂଶର ତଥା ଗଡଜାତ ସମୟର ଇତିହାସକୁ ସାଇତି ରଖିଛି । ବର୍ତ୍ତମାନ ରାଜପରିବାର ସହାୟତାରେ ଏହି ମଠ ପରିଚାଳିତ ହେଉଛି। ଏହି ସତୀଚିତାକୁ ଦେଖିବାକୁ ବିଭିନ୍ନ ସ୍ଥାନରୁ ଲୋକେ ମଧ୍ୟ ଛୁଟି ଆସୁଛନ୍ତି। ସତୀମଠର ଇତିହାସକୁ ବଜାୟ ରଖିବାକୁ ଏହି ପରମ୍ପରା ପାଳିତ ହୋଇ ଆସୁଥିବା କହିଛନ୍ତି ମଠର ମହନ୍ତ ।
#ଏବେବି_ବଞ୍ଚିଛି_ସତୀଦାହର_ସ୍ମୃତି#୨୬୧_ବର୍ଷ_ଧରି_ଲିଭିନି_ଜୁଇର_ନିଆଁ
କଥାଟି ଶୁଣିଲେ ଆପଣ ବିଶ୍ୱାସ ନଲାଗିପାରେ। ବହୁବର୍ଷ ତଳୁ ସତୀଦାହ ପ୍ରଥା ଲୋପ ପାଇଗଲାଣି। କିନ୍ତୁ ଓଡ଼ିଶାରେ ଏହାର ସ୍ମୃତି ଏବେବି ବଂଚି ରହିଛି। ଦିନେ ଯେଉଁ ନିଆଁରେ ରାଜା ଓ ରାଣୀଙ୍କର ମରଶରୀର ଜଳିଥିଲା, ସେ ନିଆଁ ଏବେବି ଲିଭିନି। #Ganjam #Odisha pic.twitter.com/E78hFjmevE— ଓଟିଭି (@otvkhabar) March 7, 2021