ରାଜ୍ୟରେ ବଢ଼ୁଛି ଶିଶୁ ନିଖୋଜର ତାଲିକା; ଗଞ୍ଜାମ ସ୍ଥିତି ଜାଣିଲେ ଆଶ୍ଚର୍ଯ୍ୟ ହେବେ
ବ୍ରହ୍ମପୁର (ରିପୋର୍ଟ: ଅଶୋକ ବ୍ରହ୍ମା): ପରୀ ହତ୍ୟା ଘଟଣା ସାମ୍ନାକୁ ଆସିବା ପରେ ଏବେ ରାଜ୍ୟରେ ଶିଶୁ ନିଖୋଜର ତାଲିକା ଲମ୍ବିବାରେ ଲାଗିଛି। ରାଜ୍ୟରେ ଅନେକ ଜିଲ୍ଲାର ପ୍ରତିବର୍ଷ ଶହ ଶହ ଶିଶୁ ନିଖୋଜ୍ ହେଉଥିବା ରିପୋର୍ଟ ସାମ୍ନାକୁ ଆସୁଛି।
ଗଂଜାମ ଜିଲ୍ଲାରେ ୨୦୧୬ ମସିହାରୁ ଆଜି ପର୍ଯ୍ୟନ୍ତ ହୋଇଥିବା ନାବାଳକ ଓ ନାବାଳିକା ନିଖୋଜ ତାଲିକା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ୨୦୧୬ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରେ ୬୦ ଜଣ ନାବାଳକ ହଜିଥିବା ବେଳେ ନାବାଳିକା ହଜିଛନ୍ତି ୨୧୮ ଜଣ।
ଏନେଇ ଗଞ୍ଜାମର ସ୍ଥିତି ପରଖିବା ପାଇଁ ଗଞ୍ଜାମରେ ପହଞ୍ଚିଥିଲା ଓଟିଭି। ଦୀର୍ଘ ବର୍ଷ ଧରି ନିଖୋଜ ଥିବା ନିଜର ଏକମାତ୍ର ପୁତ୍ରଙ୍କୁ ଖୋଜୁଥିବା କିଛି ପରିବାର ବର୍ଗଙ୍କୁ ଭେଟିଛି ବ୍ରହ୍ମପୁର ଓଟିଭି ଟିମ୍।
ଗଂଜାମ ଜିଲ୍ଲା ଚିକିଟି ବ୍ଲକ ବଡବରଙ୍ଗା ଗାଁର ଭୁବନେଶ୍ୱର ପାଢ଼ୀ ଓ ତାଙ୍କ ସ୍ତ୍ରୀ ଟୁନିଙ୍କ କଥା ଜାଣନ୍ତୁ। ଏହି ଦମ୍ପତିଙ୍କର ଏକମାତ୍ର ପୁଅ ଥିଲେ ଶଙ୍କର। ୨୦୦୯ ସେପ୍ଟେମ୍ବର ୧୪ ତାରିଖରେ ଶଙ୍କର କମ୍ପ୍ୟୁଟର କ୍ଲାସ କରିବାକୁ ଯାଇ ଆଉ ଘରକୁ ଫେରିନାହାନ୍ତି। ତା ପରଦିନ ବାପା ଭୁବନେଶ୍ୱର ବ୍ରହ୍ମପୁର ଟାଉନ୍ ଥାନାରେ ଏତଲା ଦେଇଥିଲେ। ଏହା ଭିତରେ ଜିଲାପାଳ, କ୍ରାଇମବ୍ରାଞ୍ଚ, ମାନବାଧତ୍କାର କମିଶନଙ୍କ ପାଖକୁ ଯାଇ ଗୁହାରି ବି କରିଛନ୍ତି। ହେଲେ ଫଳ ଶୂନ। ପୁଅର ପତ୍ତା ମିଳୁନି। ପୁଅ କେଉଁଠି ଅଛି, ଜୀବିତ ନା ମୃତ ତାହା ଜାଣିପାରୁନାହାନ୍ତି ବାପାମା। କେବଳ ଲୁହ ଗଡ଼ାଇ ଭଗବାନଙ୍କୁ ଡାକିବା ଛଡ଼ା ଆଉ କିଛି ବାଟ ନାହିଁ।
କେବଳ ଶଙ୍କର ନୁହେଁ, ପାତ୍ରପୁର ବ୍ଲକର ଦଶମ ଶ୍ରେଣୀ ଛାତ୍ର ଏମ. କାଳୁଚରଣ ପାତ୍ର ମଧ୍ୟ ୧୧ ବର୍ଷ ହେବ ନିଖୋଜ ଅଛନ୍ତି। କାଳୁଚରଣ ସନ୍ଧ୍ୟା ବେଳେ ପାତ୍ରପୁର ବସ୍ଷ୍ଟାଣ୍ଡ ଯାଇଥିବା ବେଳେ କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି। ସେ ୨୦୦୯ରୁ ତାଙ୍କର କଣସି ଖୋଜ୍ଖବର ନାହିଁ।
ସେହିପରି ସମାନ କାହାଣୀ ହେଉଛି ଦିଗପହଣ୍ଡି ବ୍ଲକର ଶ୍ୟାମଘନ ପ୍ରଧାନଙ୍କର। ତାଙ୍କର ଏକଇର ବଳା ବିଶିକେଶନ ପୁଅ ଗଣେଶ ୨୦୧୦ରୁ କେଉଁଆଡ଼େ ଚାଲିଯାଇଛି ଯେ ଏଯାଏ ଫେରିନି। ପୁଅକୁ ଝୁରି ଝୁରି ମାଆ ଶଯ୍ୟାଶାୟୀ। କିନ୍ତୁ ମନରୁ ଆଶା ହରାଇନାହାନ୍ତି।
ବ୍ରହ୍ମପୁର ଏସ୍ପିଙ୍କ କାର୍ଯ୍ୟାଳୟରୁ ମିଳିଥିବା ରିପୋର୍ଟ ଅନୁସାରେ..
ଗଞ୍ଜାମ | ||
ମସିହା | ନାବାଳକ | ନାବାଳିକା |
୨୦୧୬ | ୧୪ | ୩୫ |
୨୦୧୭ | ୮ | ୨୫ |
୨୦୧୮ | ୮ | ୪୦ |
୨୦୧୯ | ୨୧ | ୭୧ |
୨୦୨୦(ଡିସେମ୍ବର ୨୨ ପର୍ଯ୍ୟନ୍ତ) | ୯ | ୪୭ |
ଗଞ୍ଜାମ ଜିଲ୍ଲାରେ ୨୦୧୬ ମସିହାରେ ନିଖୋଜ ନାବାଳକଙ୍କ ସଂଖ୍ୟା ୧୪ ଏବଂ ନାବାଳିକା ସଂଖ୍ୟା ୩୫। ସେହିପରି୨୦୧୭ରେ ନାବାଳକ ୮ ଓ ନାବାଳିକା ୨୫ । ୨୦୧୮ରେ ବାଳକ ୮, ବାଳିକା ୪୦, ୨୦୧୯ରେ ବାଳକ ୨୧, ବାଳିକା ୭୧ ଏବଂ ୨୦୨୦ରେ ଆଜି ପର୍ଯ୍ୟନ୍ତ ୯ ନାବାଳକ ଓ ୪୭ ନାବାଳିକା ନିଖୋଜ ଥିବା ପୋଲିସ୍ ରିପୋର୍ଟରୁ ଜଣାପଡ଼ିଛି।
ଏମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୬୫ ଜଣଙ୍କୁ ଉଦ୍ଧାର କରାଯାଇଛି। ଏନେଇ ବ୍ରହ୍ମପୁର ଏସପି ପିନାକ ମିଶ୍ର କହିଛନ୍ତି, ଏଭଳି ମାମଲାକୁ ଗୁରୁତର ଭାବେ ନିଆଯାଇ ଜଣେ ଗେଜେଟେଡ୍ ଅଫିସରଙ୍କୁ ତଦନ୍ତ ପାଇଁ ଦାୟିତ୍ୱ ଦିଆଯାଇଛି।