ସୀମା ସୁରକ୍ଷା ବାହିନୀରେ ଯୋଗ ଦେବାକୁ ଯୋଗ୍ୟ ବିବେଚିତ ହେଲେ ରୀନା ନାୟକ

ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଘରେ ସାତ ବର୍ଷର ଝିଅ। କିନ୍ତୁ ମନ ଦେଶ ସେବା ପାଇଁ । ଶତ୍ରୁକୁ କଡ଼ା ଜବାବ ଦେବାକୁ ଯେପରି ପଣ କରିଛନ୍ତି। ଏଥିପାଇଁ ବିବାହର ୭ ବର୍ଷ ପରେ ବି ସବୁ ଶାରୀରିକ ଚାଲେଞ୍ଜକୁ ଅତିକ୍ରମ କରି ଭାରତୀୟ ସୀମା ସୁରକ୍ଷା ବାହିନୀରେ ଯୋଗ ଦେବାକୁ ଅଣ୍ଟା ଭିଡ଼ିଛନ୍ତି । ଆଉ ସେଥିପାଇଁ ଦିନ ରାତି କଠିନ ପରିଶ୍ରମ କରିବାରେ ଲାଗି ପଡ଼ିଛନ୍ତି । ଶ୍ୱଶୁର ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ହୋଇଥିବା ବେଳେ ତାଙ୍କ ପଦା ଅନୁସରଣ କରି ଘରର ବୋହୂ ଯାଇ ସୀମା ସୁରକ୍ଷାରେ ନିୟୋଜିତ ହେବେ ।

ବ୍ରହ୍ମପୁର ଉପକଣ୍ଠ ରଙ୍ଗେଇଇଲୁଣ୍ଡା ବ୍ଳକ ବୟାଳୀ ଗ୍ରାମର ବୋହୁ ରୀନା ନାୟକ । ବିବାହକୁ ୭ ବର୍ଷ ବିତିଲାଣି । ପାରିବାରିକ ଝଡ଼ଝଞ୍ଜାକୁ ପଛରେ ପକାଇ ସବୁ କାମ ଶେଷ କରି ଭୋର୍ ୬ଟାରେ ବସରେ ବାହାରି ଯାଆନ୍ତି ଖଲ୍ଲିକୋଟ୍ କଲେଜ ଷ୍ଟାଡ଼ିୟମ୍ । ସେଠାରେ ୭ଟାରୁ ୯ ଯାଏଁ  କଠିନ୍ ଶାରିରୀକ କସରତ୍ କରନ୍ତି । ପରେ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳତା ପାଇବା ପାଇଁ  ଡିଫେନ୍ସ ଏକାଡେମୀରେ ପ୍ରାକ୍ଟିସ୍ କରିଥାଆନ୍ତି । ଆଉ ସନ୍ଧ୍ୟାରେ ଘରକୁ ଫେରି ଘରର ସମସ୍ତ ଦାୟିତ୍ୱ ତୁଲାନ୍ତି। ଜଣେ ବିବାହିତି ମହିଳା ହୋଇ ବି ଦେଶ ପାଇଁ କିଛି କରିବାର ଆଶା ଆଜି ତାଙ୍କୁ ଏତେ ଦୂର ଆଣିଛି । ସୀମା ସୁରକ୍ଷା ବାହିନୀରେ ଯୋଗ ଦେବାକୁ ସେ ଏବେ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ରୀନାଙ୍କ ୭ବର୍ଷର ଝିଅ ଖୁସି। ଦ୍ୱିତୀୟ ଶ୍ରେଣୀରେ ପାଠପଢ଼େ । ତା ସହ ଘରେ ଶାଶୁ, ଶଶୁର, ସ୍ୱାମୀ। ସମସ୍ତଙ୍କ ଗୁରୁ ଦାୟିତ୍ୱ ରହୁଛି ରୀନାଙ୍କ ଉପରେ। ଶାଶୁ ଘର ପରିବାର ଲୋକଙ୍କ ପ୍ରେରଣା ହିଁ ତାଙ୍କୁ ଦେଇଛି ଏତେ ବଡ଼ ସଫଳତା ଦେଇଛି ବୋଲି ସେ କହନ୍ତି । ଶ୍ୱଶୁର ଜଣେ ପୂର୍ବତନ ସେନା କର୍ମଚାରୀ ହୋଇଥିବା ବେଳେ ବୋହୂର ଦେଶ ପାଇଁ କିଛି କରିବାର ଇଚ୍ଛା ତାଙ୍କୁ ଅଧିକ ପ୍ରଭାବିତ କରିଛି । କଠିନ ପରିଶ୍ରମ ସତ୍ତ୍ୱେ ସେ ତାଙ୍କ ଦାୟିତ୍ୱରେ କେବେ ବି ଅବହେଳା କରିନଥିବା କୁହନ୍ତି ଶଶୁର। ବର୍ତ୍ତମାନ ବୋହୂ ସୀମା ଜଗିବାକୁ ଯାଉଥିବାରୁ ସେ ଅତ୍ୟନ୍ତ ଖୁସିଥିବା କହିଛନ୍ତି । ସେହିଭଳି ସ୍ୱାମୀ ବି ରୀନାଙ୍କ ସଫଳତାର ଅନ୍ୟତମ ଅଂଶୀଦାର।

You might also like