ବାହାର ଲୋକଙ୍କୁ ଗଞ୍ଜାମ ଜିଲ୍ଲା ମନା !

ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ଗଞ୍ଜାମ: ପୁଣି କରୋନା ସଂକ୍ରମଣ ବଢ଼ିବା ଦେଖି ଏହାକୁ ରୋକିବା ପାଇଁ ତତ୍ପର ହୋଇ ଉଠିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। କରୋନାକୁ ନେଇ ଏକ ବୈଠକ ମଧ୍ୟ ହୋଇଛି। ମାସ୍କ ବ୍ୟବହାରକୁ କଡାକଡି କରାଯାଇଛି। ହଟସ୍ପଟ ଅଂଚଳରୁ ଆସୁଥିବା ବ୍ୟକ୍ତିଙ୍କ ଉପରେ କଡା ନଜର ରଖାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ବାହାରୁ ଆସିଲେ RTPCR ସାର୍ଟିଫିକେଟ ବାଧ୍ୟତାମୂଳକ କରାଯାଇଛି। ଜାନିଯାତ୍ରା ପାଇଁ ରାଜ୍ୟ ବାହାରରୁ ଲୋକେ ଆସିପାରିବେନି ବୋଲି କୁହଯାଇଛି।

କେବଳ ସ୍ୱାସ୍ଥ୍ୟ ସମସ୍ୟା ଥିଲେ RTPCR ସାର୍ଟିଫିକେଟ ଧରି ଆସିବାକୁ କହିଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତି ୭ ଦିନ ହୋମ କ୍ୱାରେଣ୍ଟାଇନରେ ରହିବେ। ଏହାସହ ଗଂଜାମରେ ଏଥର ହୋଲି ଉପରେ ଲଗାଯାଇଛି କଟକଣା। ମନ୍ଦିରରେ କେବଳ ଠାକୁରଙ୍କ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ହୋଇପାରିବ କିନ୍ତୁ ସର୍ବସାଧାରଣ ସ୍ଥାନରେ ଖେଳାଯାଇପାରିବନି ହୋଲି। ହେଲେ ବୁଢୀ ଠାକୁରାଣି ଯାତ୍ରା ମଧ୍ୟ ରୀତିନୀତି ଅନୁଯାୟୀ ହେବ ବୋଲି ଜିଲ୍ଲାପାଳ କହିଛନ୍ତି।

ସହରାଂଚଳ ଏବଂ ଗ୍ରାମାଂଚଳରେ କୋଭିଡ୍ ନିୟମ ପାଳନ ହେଉଛି କି ନାହିଁ ତାହାର ତଦାରଖ କରିବେ ବିଡିଓ, ତହସିଲଦାର ଓ NAC କାର୍ଯ୍ୟ ର୍ନିବାହୀ ଅଧିକାରୀ। ସତର୍କ ନ ରହିଲେ କୋଭିଡ୍ କଟକଣା ନ ମାନିଲେ ପୁଣି ଲକ୍ ଡାଉନ୍ ସଟଡାଉନ ଭଳି ସ୍ଥିତି ଉପୁଜିବ ବୋଲି କହିଛନ୍ତି ଜିଲ୍ଲାପାଳ।

ଆଜି ଗଞ୍ଜାମ ଜିଲ୍ଲାରୁ ୫ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି। ସୁରତ ଓ ମୁମ୍ବାଇରୁ ଫେରୁଥିବା ଲୋକମାନଙ୍କୁ ୭ ଦିନ ହୋମ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ଏହାସହ ଆଗାମୀ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପାନୀୟ ଜଳର ସୁବ୍ୟବସ୍ଥା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବା ସହ ଶ୍ରମିକମାନେ ଅଂଶୁଘାତରେ ମୁକ୍ତି ପାଇବେ, ସେଥିପାଇଁ ସୁବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଲୋଚନା ହୋଇଥିଲା।

ଗୋଟିଏ ପଟେ ରାଜ୍ୟରେ କ୍ରମାଗତ ଭାବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୪୬ ନୂଆ ଆକ୍ରାନ୍ତ ଚିହ୍ନଟ୧୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ଚିନ୍ତା ବଢ଼ିଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୮୭ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୫୯ ରହିଛି।

ସେପଟେ XIMBରେ ୪୫ସଂକ୍ରମିତ ଚିହ୍ନଟ ହୋଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ଏନେଇ ସୂଚନା ଦେଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ଟ୍ରାଭେଲ ହିଷ୍ଟ୍ରି ଟ୍ରାକ୍ ହେଉଥିବା ନେଇ ମିଳିଛି ସୂଚନା। ସେପଟେ କରୋନା ସ୍ଥିତିକୁ ନେଇ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ ବୋଲି ଜଣାପଡିଛି। ପୁଣି ଥରେ ସରପଞ୍ଚ, ଆଶା, ଅଙ୍ଗନବାଡ଼ି କର୍ମୀଙ୍କୁ ଦାୟିତ୍ୱ ଦିଆଯିବ ବୋଲି ମଧ୍ୟ ସୂଚନା ମିଳିଛି। ସେମାନେ ଗାଁକୁ ଆସୁଥିବା ବାହାର ଲୋକଙ୍କ ଉପରେ ନଜର ରଖିବେ, ଯାହାଦ୍ୱାରା କରୋନା ନିୟନ୍ତ୍ରଣରେ ରହିବ ବୋଲି ଜଣାପଡିଛି। ପୂର୍ବରୁ ଗଞ୍ଜାମ ଜିଲ୍ଲା କରୋନାର ହଟସ୍ପଟ ପାଲଟିଥିବାରୁ ଆଗୁଆ ସତର୍କ ହେଉଛି ଜିଲ୍ଲା ପ୍ରଶାସନ।

You might also like