ହାଇଦର ଫେରାର ପଛରେ ପରିବାରର ସଂପୃକ୍ତି ଅଛି କି ? ଏମିତି ଉତ୍ତର ଦେଲେ ପତ୍ନୀ ହାସିନା

ଭୁବନେଶ୍ୱର: କିଡ୍‌ନୀ ସମସ୍ୟାର ଚିକିତ୍ସା କରିବା ବାହାନରେ ଜେଲରୁ ଆସି ଏସ୍‌ସିବିରେ ରହିଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର। ଏପ୍ରିଲ ୧୦ରେ ଏସସିବିରୁ ପୋଲିସକୁ ଚକ୍‌ମା ଦେଇ ଚମ୍ପଟ ମାରିଥିଲା ହାଇଦର। ହେଲେ ଏସ୍‌ସିବିରୁ କେମିତି ଖସି ପଳାଇଲା ହାଇଦର ? କିଏ ତାକୁ ସହଯୋଗ କରିଥିଲା ? ଏହା ପଛରେ ବଡ ହାତ ରହିଛି ବୋଲି ଅଭିଯୋଗ ଆଣିଥିଲେ ବିରୋଧୀ। ତେବେ ପରିବାର ଲୋକଙ୍କ ସହଯୋଗରେ ସେ ଫେରାର ହୋଇଥିବା କୁହାଯାଉଥିଲା।

ହାଇଦରକୁ ତେଲେଙ୍ଗାନର ସାଙ୍ଗାରେଡ୍ଡି ଜିଲ୍ଲାରୁ ତେଲେଙ୍ଗାନା ପୋଲିସ ସହାୟତାରେ ତାକୁ ଗତକାଲି ସନ୍ଧ୍ୟାରେ ଗିରଫ କରିବା ପରେ ମୁହଁ ଖୋଲିଛନ୍ତି ହାଇଦରର ପତ୍ନୀ ହାସିନା ବିବି। ହାସିନା କହିଛନ୍ତି,  ହାଇଦର ଚିକିତ୍ସା ବେଳେ ଡାକ୍ତରଖାନାରୁ ପଳାଇଥିଲେ । ଏଥିରେ ତାଙ୍କ ପୁଅ କି ଜ୍ୱାଇଁଙ୍କର କୌଣସି ଭୂମିକା ନାହିଁ । ଏପରିକି ହାଇଦର ଫେରାର ହେବା ଘଟଣା ଆମେ ଜାଣି ନ ଥିଲୁ। ଟିଭିରୁ ଦେଖି ସେ ପଳାଇ ଯାଇଥିବା ଜାଣିଲୁ ବୋଲି କହିଥିଲେ ହାସିନା

ସେ କହିଛନ୍ତି ହାଇଦର ଖୁବ୍ ଅସୁସ୍ଥ ଥିଲେ।  ଏଣୁ ତାଙ୍କୁ ଭଲରେ ଫେରାଇ ଆଣିବାକୁ ପୋଲିସକୁ ଅନୁରୋଧ କରିଥିଲେ ବୋଲି ହାସିନା କହିଛନ୍ତି । ତେବେ ପୋଲିସ ଭୟରେ ପୁଅ ଜ୍ୱାଇଁ କେଉଁଆଡ଼େ ଫେରାର ହୋଇ ଯାଇଥିବା ସେ କହିଛନ୍ତି । ଯଦି ହାଇଦର କହନ୍ତି ଯେ, ଫେରାର ପଛରେ ପରିବାର ଲୋକ ସଂପୃକ୍ତ ଅଛନ୍ତି, ତା ହେଲେ ଆଇନ ଅନୁସାରେ ସେ ଦଣ୍ଡ ଭୋଗିବେ ବୋଲି ହାସିନା କହିଛନ୍ତି।

ଯାହା ବି ହେଉ, ତାଙ୍କ ସ୍ୱାମୀ ଯେଉଁଠି ଥାଆନ୍ତୁ, ଭଲରେ ଥାଆନ୍ତୁ ବୋଲି କହିଛନ୍ତି ହାସିନା। ଏ ମାମଲାରେ ସେ ପୋଲିସକୁ ସହୟତା କରିବେ ବୋଲି କହିଛନ୍ତି।

ସୂଚନାଥାଉ କି, ଏପ୍ରିଲ ୧୦ରେ ହାଇଦର ଫେରାର ହେବାର ୩ ଘଣ୍ଟା ପର୍ଯ୍ୟନ୍ତ ପୋଲିସକୁ କୌଣସି ସୂଚନା ମିଳି ନ ଥିଲା। ପୋଲିସ ସୂଚନା ପାଇବା ପରେ ତନାଘନା ଆରମ୍ଭ କରିଥିଲା। ୧୦ ତାରିଖରୁ ୧୫ ତାରିଖ ବିତିଗଲା। ହେଲେ ହାଇଦରକୁ ଧରି ପାରି ନ ଥିଲା ପୋଲିସ। ଗତକାଲି ସନ୍ଧ୍ୟାରେ ତେଲେଙ୍ଗାନା ପୋଲିସ ସହାୟତାରେ ତାକୁ ଗିରଫ କରିଥିଲା କମିଶନରେଟ ପୋଲିସ।

କଟକରୁ ଖସି ତେଲେଙ୍ଗାନାରେ ହାଇଦର ମୋଟର୍ ସାଇକେଲ୍‌ରେ ଚଳପ୍ରଚଳ କରୁଥିବା ଖବର ମିଳିଥିଲା।ସାଇବର୍ ଟିମ୍‌ର ସହାୟତରେ ସଠିକ୍ ଠିକଣା ହାଇଦରର ଜଣାପଡ଼ିଥିଲା। ଗତକାଲି ଅପରେସନ୍ ହାଇଦରକୁ ମିଳିଥିଲା ସଫଳତା। ଏବେ ପୋଲିସ୍ ହାଇଦରକୁ ରିମାଣ୍ଡରେ ଆଣି ପୁରା ଘଟଣା ଉପରୁ ପରଦା ହଟାଇବାକୁ ଚେଷ୍ଟା କରିବ ବୋଲି କହିଛନ୍ତି ସିପି ।

You might also like