ରାଜଧାନୀର ବିଭିନ୍ନ ପୂଜା ମଣ୍ଡପରେ ନିଆରା ଗଣେଶ ମୂର୍ତ୍ତି

ଭୁବନେଶ୍ୱର: ରାଜଧାନୀରେ ଗଣେଶ ପୂଜା ବହୁତ ଜାକଜମକରେ ପାଳିତ ହୋଇଯାଇଛି। ସ୍କୁଲ କଲେଜ ସହିତ ବିଭିନ୍ନ କ୍ଲବ, ବ୍ୟବସାୟିକ ସଂଘ ଓ ସଂଗଠନ ପକ୍ଷରୁ ଗଣେଶ ପୂଜା ଅନୁଷ୍ଠିତ ହୋଇଛି। ଆକର୍ଷଣୀୟ ତୋରଣ ସାଙ୍ଗକୁ ରଙ୍ଗୀନ ଆଲୋକମାଳାରେ ପୂଜା ମଣ୍ଡପ ସଜେଇ ହୋଇଥିଲା।

ଏହା ସହିତ ରାଜଧାନୀର ଅନେକ ପୂଜା ମଣ୍ଡପରେ ନିଆରା ଗଣେଶ ମୂର୍ତ୍ତି ଦେଖିବାକୁ ମିଳିଛି। ସହିଦ ନଗର ଉଇନର ଆସୋସିଏସନ୍‌ ମଣ୍ଡପରେ ମୁମ୍ବାଇ ଭଳି ୪୫ ଫୁଟ ଉଚ୍ଚତା ବିଶିଷ୍ଟ ଗଣେଶ ମୂର୍ତ୍ତି ସାଙ୍ଗକୁ ୨୨ ପୁଟର ଗଦା ଓ ୫୧ କିଲୋଗ୍ରାମ ଓଜନର ଲଡୁ ଦେଖିବାକୁ ମିଳିଛି। ସେହିଭଳି ବଡ଼ଗଡ଼ ଯୁବକ ସଂଘ ମଣ୍ଡପରେ ମଧ୍ୟ ୪୦ ଫୁଟର ମୂର୍ତ୍ତି ଦେଖିବାକୁ ମିଳିଛି।

ସହିଦ ନଗରର ସହିଦ କ୍ଲବ ମଣ୍ଡପରେ ମଶୁର ଡାଲି ଓ ଧଳା ରାଶି ପ୍ରଭୃତି ବିଭିନ୍ନ ଶସ୍ୟ ରେ ଗଣେଶ ମୂର୍ତ୍ତି ନିର୍ମିତ ହୋଇଛି। ତେବେ ପ୍ରାୟ ପ୍ରତ୍ୟେକ ପୂଜା କମିଟି ପକ୍ଷରୁ ପରିବେଶ ସୁରକ୍ଷା ପାଇଁ ମୁର୍ତ୍ତିରେ କୌଣସି ରାସାୟନିକ ରଙ୍ଗ ବ୍ୟବହାର କରାଯାଇ ନ ଥିବା କମିଟି ସଦସ୍ୟ କହିଛନ୍ତି।

ରାଜଧାନୀର ଆଉ ଏକ ପୂଜା ମଣ୍ଡପରେ ଗଣେଶ ଲୋକଙ୍କୁ ସାହାଯ୍ୟ କରୁଥିବାର ଦେଖିବାକୁ ମିଳିଛି। କେରଳରେ ହୋଇଥିବା ଭୟଙ୍କର ବନ୍ୟା ପରେ ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ଗଣେଶ ସ୍ୱୟଂ ସାମିଲ ହୋଇଥିବା ଦୃଶ୍ୟ ଏଥିରେ ଦର୍ଶା ଯାଇଥିଲା। ଗଣେଶଙ୍କ ଏପରି ଅବତାରକୁ ଲୋକଙ୍କୁ ବହୁତ ଆକୃଷ୍ଟ କରୁଛି।

(ଭୁବନେଶ୍ୱରୁ ରୋହନଙ୍କ ସହ ବଳରାମ ମହାନ୍ତି ଓ ଜଗଦୀଶ ଦାଶଙ୍କ ରିପୋର୍ଟ)

 

You might also like