ପୁଣି ଗୃହରେ ନରସିଂହ ଓ ବିଷ୍ଣୁ ମୁହାଁମୁହିଁ

ଭୁବନେଶ୍ୱର: ଗାନ୍ଧି ବନାମ ଗଡ୍‌ସେ ପ୍ରସଙ୍ଗରେ ଗୃହରେ ଆଜି ପୁଣି ନରସିଂହ ମିଶ୍ର ଓ ବିଷ୍ଣୁ ସେଠୀ ମୁହାଁମୁହିଁ ହୋଇଛନ୍ତି। ଗତକାଲି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଗୃହରେ ରଖିଥିବା ପ୍ରତିକ୍ରିୟାକୁ ନେଇ ଆଜି ଖୁବ୍ ବର୍ଷିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।

ଗତକାଲି ନରସିଂହ ଅଭିଯୋଗ କରି କହିଥିଲେ, କେନ୍ଦ୍ର ସରକାରଙ୍କ କିଛି ନେତା ଗଡ୍‌ସେଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ। ଏହାପରେ ବିଷ୍ଣୁ ମଧ୍ୟ କଂଗ୍ରେସ ନେତା ମଣିଶଙ୍କର ଆୟାର ଓ ନବଜୋତ୍ ସିଂହ ସିଦ୍ଧୁଙ୍କ ପାକିସ୍ତାନ ପ୍ରୀତିକୁ ନେଇ କଟାକ୍ଷ କରିଥିଲେ।

ତେବେ ମଣିଶଙ୍କର ଓ ସିଦ୍ଧୁ ବାହାର ଲୋକ, ଏଠି ସେସବୁ କଥା କାହିଁକି ଆଲୋଚନା ହେଲା ବୋଲି ଆଜି ପ୍ରଶ୍ନ ଉଠାଇଛନ୍ତି ନରସିଂହ। ଏଥିସହିତ ମଣିଶଙ୍କରଙ୍କ ବିରୋଧରେ ଦଳ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ହୋଇଛି ବୋଲି ସେ କହିଛନ୍ତି। ତେବେ ନରସିଂହଙ୍କ ପ୍ରତିକ୍ରିୟାର ଜବାବ ରଖି ବିଷ୍ଣୁ କହିଛନ୍ତି, ପୂର୍ବରୁ ବି ଗୃହ ବାହାର ଲୋକଙ୍କ ବିଷୟରେ ଏଠାରେ ଆଲୋଚନା ହୋଇଛି। ଏଥିସହିତ ଅନେକ ସମୟରେ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ବି ଅଯୌକ୍ତିକ କଥା କୁହନ୍ତି ବୋଲି କହିଛନ୍ତି ବିଷ୍ଣୁ। ବିଷ୍ଣୁଙ୍କ ଏହି ବୟାନକୁ ନେଇ କଂଗ୍ରେସ ସଦସ୍ୟ ଗୃହରେ ଜୋରଦାର ହୋହଲ୍ଲା ଓ ପାଟିତୁଣ୍ଡ କରିଥିଲେ। ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ପାଳନ ପ୍ରସଙ୍ଗକୁ ନେଇ ଶୂନ୍ୟକାଳରେ ଆଲୋଚନା ବେଳେ ବିଷ୍ଣୁ-ନରସିଂହଙ୍କ ମଧ୍ୟରେ ବାକ୍‌ଯୁଦ୍ଧର ସୂତ୍ରପାତ ହୋଇଥିଲା।

You might also like