ପଞ୍ଚଭୂତରେ ଲୀନ ହେଲେ ସହିଦ ଓଡ଼ିଆ ଯବାନ ନୁଦୁରାମ, ଚନ୍ଦ୍ରକାନ୍ତ

ରାଇରଙ୍ଗପୁର/ବାଲିଗୁଡ଼ା: ଲଦାଖର ଗଲ୍‌ଓ୍ୱାନ୍‌ ଉପତ୍ୟକାରେ ଭାରତ-ଚୀନ ସେନା ମୁହାଁମୁହିଁ ଘଟଣାରେ ସହିଦ ହୋଇଥିବା ୨ ଓଡ଼ିଆ ଯବାନଙ୍କ ଶେଷକୃତ୍ୟ ଆଜି ସେମାନଙ୍କର ଜନ୍ମମାଟିର ସମ୍ପନ୍ନ ହୋଇଛି। କାନ୍ଦ ବୋବାଳିରେ ପୂରା ପରିବେଶ ଫାଟି ପଡ଼ୁଥିବାବେଳେ ବୀର ଓଡ଼ିଆ ପୁଅଙ୍କୁ ସମସ୍ତେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ସହିଦ ଓଡ଼ିଆ ଯବାନ ନୁଦୁରାମ ସୋରେନ୍‌ଙ୍କ ଶେଷକୃତ୍ୟ ତାଙ୍କର ଜନ୍ମମାଟି ବଡଚମ୍ପାଉଦା ଗାଁରେ ସମ୍ପନ୍ନ ହୋଇଛି। ଏକ ବିରାଟ ଶୋଭାଯାତ୍ରାରେ ରାଇରଙ୍ଗପୁରରୁ ବଡଚମ୍ପାଉଦା ଗାଁକୁ ସହିଦଙ୍କ ପାର୍ଥିବ ଶରୀର ନିଆଯାଇଥିଲା। ତାଙ୍କୁ ଗାର୍ଡ ଅଫ ଅନର ଦିଆଯିବା ପରେ ଶହ ଶହ ସଂଖ୍ୟାରେ ସ୍ଥାନୀୟ ଲୋକ ବୀର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସହିଦ ଯବାନ ଅମର ରହେ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ପୂରା ପରିବେଶ। 

କନ୍ଧମାଳ ଜିଲ୍ଲା ରାଇକିଆ ବିଅରପାଙ୍ଗାର ସହିଦ ଓଡିଆ ଯବାନ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ମଧ୍ୟ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ରାଇକିଆରେ ସହିଦଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ମହୋତ୍ସବ ପଡ଼ିଆରେ ସହିଦ ଚନ୍ଦ୍ରକାନ୍ତଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ଏହାପରେ ସହିଦଙ୍କ ପାର୍ଥିବ ଶରୀରକୁ ବିରାଟ ଶୋଭାଯାତ୍ରାରେ ଜନ୍ମମାଟିକୁ ନିଆଯାଇଥିଲା। ରାସ୍ତାରେ ଶହ ଶହ ଲୋକ ସାମିଲ ହୋଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଭାରତ ମାତା କି ଜୟ ଓ ଚନ୍ଦ୍ରକାନ୍ତ ଅମର ରହେ ନାରାରେ ସହିଦଙ୍କ ଜନ୍ମମାଟି ଉଛୁଳି ଉଠିଥିଲା। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହିଦଙ୍କୁ ତୋପ ସଲାମୀ ଦିଆଯାଇଥିଲା।

You might also like