‘ଆଇନ୍ ଅନୁଯାୟୀ ରଥଯାତ୍ରା କରିବାକୁ ବାଧ୍ୟ’

ପୁରୀ: ରଥଯାତ୍ରା ବନ୍ଦ ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଯେମିତି ହେଉ ପୁରୀ ରଥଯାତ୍ରା କରାଇବାକୁ ପଦକ୍ଷେପ ନେବାକୁ ଚିଠିରେ ଲେଖିଛନ୍ତି।

ରାୟର ପୁନର୍ବିଚାର ଲାଗି ସୁପ୍ରିମକୋର୍ଟ ଯିବାକୁ ଚିଠିରେ ଅନୁରୋଧ କରାଯାଇଛି। ପରିଚାଳନା କମିଟିର ନିଷ୍ପତ୍ତି ଆଧାରରେ ଚିଠିରେ ଗଜପତି ଲେଖିଛନ୍ତି। ବିଭିନ୍ନ ପୁରାଣ ଓ ଇତିହାସର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ସେ ଚିଠି ଲେଖିଛନ୍ତି।

ସେ ଚିଠିରେ ଲେଖିଛନ୍ତି ଯେ, ଜଗନ୍ନାଥ ଅବତାର ନୁହନ୍ତି ସେ ଅବତାରୀ। ଭକ୍ତଙ୍କୁ ଦେଖାଦେବାକୁ ବର୍ଷରେ ଥରେ ମହାପ୍ରଭୁ ବାହାରକୁ ଆସନ୍ତି। ପୁରୀ ଜଗନ୍ନାଥଙ୍କ ମୂଳପୀଠ, ସେଠାରେ ରଥଯାତ୍ରା ବନ୍ଦ ଠିକ୍ ନୁହେଁ ବୋଲି ସେ ଚିଠିରେ କହିଛନ୍ତି।

ସେହିପରି ରେକର୍ଡସ ଅଫ୍ ରାଇଟ୍ସ ଅନୁଯାୟୀ ରଥଯାତ୍ରା କରିବାକୁ ବାଧ୍ୟ। ଆଇନତଃ ପରିଚାଳନା କମିଟି ପ୍ରତିବର୍ଷ ରଥଯାତ୍ରା କରିବାକୁ ବାଧ୍ୟ। ଅତୀତରେ କୌଣସି ବିପର୍ଯ୍ୟୟ ଓ ମହାମାରୀ ବେଳେ ରଥ ବନ୍ଦ ହୋଇନି ବୋଲି କହିଛନ୍ତି।

କେବଳ ମୋଗଲ ଆକ୍ରମଣ ବେଳେ ଅସମ୍ଭବ ପରିସ୍ଥିତିରେ ବନ୍ଦ ହୋଇଥିଲା। ସେସମୟରେ ମହାପ୍ରଭୁ ପାତାଳି ହେବାରୁ ରଥ ବନ୍ଦ ହୋଇଥିଲା। ତେଣୁ ବର୍ତ୍ତମାନ ସମୟରେ ରଥଯାତ୍ରା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ଜରୁରୀ ବୋଲି ସେ କହିଛନ୍ତି। ଏହାସହ ଯେପରି କୋଭିଡ୍ ସଂକ୍ରମଣ ନହେବ, ବ୍ୟବସ୍ଥା କରି ରଥ ହେଉ। ପୁନର୍ବିଚାର ଆବେଦନ ଲାଗି ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି।

You might also like