ପାରଳାଖେମୁଣ୍ଡିରେ ମା’ କଦମଖଣ୍ଡିଙ୍କ ଗଜାମୁଆଁ ଯାତ୍ରା ପାଳିତ

ଗଜପତି(ଆଦର୍ଶ ଦାଶ): ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ମା’ କଦମଖଣ୍ଡିଙ୍କ ଗଜାମୁଆଁ ଯାତ୍ରା ମହାସମାରୋହରେ ପାଳିତ ହୋଇଛି। ପ୍ରତ୍ୟେକ ବର୍ଷ ଚୈତ୍ର ମାସରେ ପାରଳାଖେମୁଣ୍ଡିରେ ଏହି ଯାତ୍ରା ବେଶ୍ ଧୂମଧାମରେ ପାଳିତ ହୁଏ। ଚୈତ୍ର ମାସର ପ୍ରତ୍ୟେକ ମଙ୍ଗଳବାର ଏହି ଯାତ୍ରା ବାହାରିଥାଏ। ମୁଖ୍ୟତଃ ଶେଷ ମଙ୍ଗଳବାର ରାତିରେ ସହରର ପ୍ରତି ଗଳିକନ୍ଦିରେ ଗଜାମୁଆଁକୁ ଆକର୍ଷଣୀୟ ସାଜ ସଜା କରି ମୁଣ୍ଡରେ ଧରି ଲୋକେ ପ୍ରତ୍ୟେକ ସାହି ଭ୍ରମଣ କରିଛନ୍ତି। ରାତି ସାରା ଏହି ଉତ୍ସବକୁ ସହରବାସୀ ଭରପୁର ଉପଭୋଗ କରନ୍ତି।

ସୁରକ୍ଷା ଓ ରୋଗମୁକ୍ତ ରହିବା ପାଇଁ କାହିଁ କେଉଁ କାଳରୁ ପାରଳାଖେମୁଣ୍ଡିବାସୀ ମା’ କଦମଖଣ୍ଡିଙ୍କ ଗଜାମୁଆଁ ଯାତ୍ରା ପାଳନ କରିଆସୁଛନ୍ତି। ପ୍ରଥମେ ଏହି ପର୍ବ ପାରଳାଖେମୁଣ୍ଡିର କବିଚନ୍ଦ୍ର ସାହିରୁ ଆରମ୍ଭ ହୋଇଥିଲା। କାଳକ୍ରମେ ପ୍ରତ୍ୟେକ ସାହିରେ ଏହି ଉତ୍ସବକୁ ପାଳନ କରିଗଲା।

ପୂର୍ବରୁ ପାରଳାଖେମୁଣ୍ଡି ସହରରେ ହଇଜା, ହାଡ ଫୁଟି ଓ ମହାମାରି ଭଳି ରୋଗ ବ୍ୟାପି ଅନେକ ଲୋକ ପ୍ରାଣ ହରାଉଥିଲେ। ତେଣୁ ପାରଳାବାସୀଙ୍କ ପୂଜକମାନେ ମା’ କଦମଖଣ୍ଡିଙ୍କୁ ଗୁହାରୀ କରି ଗଜାମୁଆଁ ଭୋଗ ଅର୍ପଣ କରିଥିଲେ। ତା’ପରଠୁ ସହରବାସୀ ରୋଗମୁକ୍ତ ରହିଥିଲେ। ସେହିଦିନଠାରୁ ନିଜ ପରିବାରର ମଙ୍ଗଳ କାମନା କରି ପାରଳାବାସୀ ଏହି ପର୍ବକୁ ପାଳନ କରିଆସୁଛନ୍ତି।

You might also like