ରାଜଧାନୀରେ ଫୁଲଡ୍ରେସ୍ ରିହର୍ସଲ, ଏଥର ସାଧାରଣତନ୍ତ୍ର ଦିବସ କଣ୍ଟିଜେଣ୍ଟର ନେତୃତ୍ୱ ନେବେ ଯୁବ ଆଇପିଏସ୍ ଏସ୍ ସୁଶ୍ରୀ

ଆଇପିଏସ୍ ଭାବେ ନିଯୁକ୍ତ ହେବା ପରେ ସୁଯୋଗ ମିଳିଥିବାରୁ ସେ ନିଜକୁ ଗର୍ବିତ ମନେ କରିଛନ୍ତି।

ଭୁବନେଶ୍ୱର (ନିରଞ୍ଜନ ରେଡ୍ଡି): ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଫୁଲଡ୍ରେସ୍ ରିହର୍ସଲ। ଭୁବନେଶ୍ୱର ମହାତ୍ମା ଗାନ୍ଧି ମାର୍ଗରେ ରିହର୍ସଲ କରାଯାଉଛି। ଏଥିରେ ଭାଗ ନେଇଛନ୍ତି ପୋଲିସ, ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍ ଭଳି କଣ୍ଟିଜେଣ୍ଟ୍ । ୪ଟି ଗ୍ରୁପ ବ୍ୟାଣ୍ଡ ସହ ଅଗ୍ନିଶମ, ଓଡିଆରଏଫ୍, ଓଆଇଏସ୍, ଏସଏସବି, ଏସଓଜି, ଆରପିଏଫ୍, ସିଆରପିଏଫ୍, ଓଏସଏଫ୍, ଆଇଆରବି ଓ ଓଏସଏପି ଆଦି ୧୦ଟି କଣ୍ଟିଜେଣ୍ଟ ଭାଗ ନେବେ।

 ତେବେ ଏଥର ଗଣତନ୍ତ୍ର ଦିବସ ପରେଡରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଭାଗ ନେବେ ନାହିଁ। କରୋନା କଟକଣା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ସୁରକ୍ଷା ଦୃଷ୍ଟିରୁ ପିଲାମାନଙ୍କୁ ଏଥର ପରେଡ୍ ପାଇଁ ଅନୁମତି ଦିଆଯାଇ ନାହିଁ । ଏଥର ପରେଡରେ ଆମେ ସ୍କୁଲ ପିଲାମାନଙ୍କୁ ମିସ୍ କରିବୁ ବୋଲି କହିଛନ୍ତି ପୋଲିସ ଡିଜି। ପରେଡ୍ ବେଳେ ସୁରକ୍ଷା ନେଇ ୨୫ ପ୍ଲାଟୁନ ପୋଲିସ ମୁତୟନ ରହିବେ । ସେପଟେ ମାଓବାଦୀଙ୍କୁ ହିଂସା ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି ଡିଜିପି । ପ୍ରତିବର୍ଷ ଜାନୁଆରୀ୨୬କୁ ମାଓବାଦୀମାନେ ବର୍ଜନ କରନ୍ତି। କିନ୍ତୁ ସେମାନଙ୍କୁ ଅନୁରୋଧ ସେମାନେ ମୁଖ୍ୟ ସ୍ରୋତରେ ସାମିଲ୍ ହୁଅନ୍ତୁ ।

ସେପଟେ ଚଳିତ ସାଧାରଣତନ୍ତ୍ର ଦିବସ କଣ୍ଟିଜେଣ୍ଟର ନେତୃତ୍ୱ ନେବେ ଯୁବ ଆଇପିଏସ୍ ଏସ୍ ସୁଶ୍ରୀ। ପ୍ରଥମ ଥର ପାଇଁ ସୁଶ୍ରୀଙ୍କୁ ଏହି ସୁଯୋଗ ମିଳିଛି । ଆଇପିଏସ୍ ଭାବେ ନିଯୁକ୍ତ ହେବା ପରେ ତାଙ୍କୁ ଏହି ସୁଯୋଗ ମିଳିଥିବାରୁ ନିଜକୁ ଗର୍ବିତ ମନେ କରିଛନ୍ତି। ରାଜ୍ୟସ୍ତରୀୟ ପରେଡ୍ରେ ନେତୃତ୍ୱ ନେଇଥିବାରୁ ଏହାକୁ ସୁଚାରୁରୂପେ ପରିଚାଳନା କରିବାକୁ ଲକ୍ଷ୍ୟ ରଖିଛନ୍ତି । ୨୦୧୭ ବ୍ୟାଚ୍ ଆଇପିଏସ୍ ଅଫିସର୍ ସୁଶ୍ରୀ ଏବେ କଳାହାଣ୍ଡି କେସିଙ୍ଗାରେ ଏସଡ଼ିପିଓ ଦାୟିତ୍ୱରେ ଅଛନ୍ତି ।

ଅନ୍ୟପଟେ ସାଧାରଣତନ୍ତ୍ର ଦିବସରେ ମନ୍ତ୍ରୀ ଓ ପଦାଧିକାରୀମାନେ କେଉଁଠାରେ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିବେ, ଆଜି ତାହାର ତାଲିକା ରାଜ୍ୟ ଗୃହ ସଚିବ ଜାରି କରିଛନ୍ତି । ରାଜଧାନୀ ଭୁବନେଶ୍ୱରରେ  ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌  ଜାତୀୟ ପତାକା ଉତ୍ତୋଳନ କରି ପରେଡ୍‌ରେ ଅଭିବାଦନ ଗ୍ରହଣ କରିବେ।

 

You might also like