ହୁ ହୁ ହୋଇ ବଢ଼ୁଛି ତେଲ ଓ ରନ୍ଧନ ଗ୍ୟାସ୍‌ ଦର, ଚିନ୍ତାରେ ଖାଉଟି

ବିଜେଡି ଉଠାଉଛି ରାଜନୈତିକ ଫାଇଦା !

ଭୁବନେଶ୍ୱର: ଗାଡ଼ି ମଟରଠୁ ଗ୍ୟାସ୍ ସିଲିଣ୍ଡର, ରାସ୍ତାରୁ ରୋଷେଇ ଶାଳ, ସବୁଠି ମହଙ୍ଗା ମାଡ଼ର ଶିକାର ହେଉଛନ୍ତି ଖାଉଟି। ପେଟ୍ରୋଲ, ଡିଜେଲ୍ ଦର ବୃଦ୍ଧି ଥମିବାର ନାଁ ନେଉ ନଥିବା ବେଳେ ରନ୍ଧନ ଗ୍ୟାସ୍ ମହଙ୍ଗା ହୋଇଛି।

ଅଣସବ୍‌ସିଡି ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ପିଛା ୫୯ ଟଙ୍କା ଓ ସବ୍‌ସିଡି ସିଲିଣ୍ଡର୍‌ ୨ଟଙ୍କା ୮୯ ପଇସା ବୃଦ୍ଧି ପାଇଛି। ଏଣେ ହାଣ୍ଡିଶାଳରେ ମାଡ଼ ପରେ ଚିନ୍ତାରେ ଗୃହିଣୀ।

ଅନ୍ୟପଟେ ହୁ ହୁ ହୋଇ ବଢ଼ୁଥିବା ତେଲଦରକୁ ନେଇ ପଲିଟିକ୍‌ସ୍‌ ତେଜିଛି। ହାତରେ ଦଳୀୟ ପତକା ଓ ବ୍ୟାନର୍ ଧରି କେନ୍ଦ୍ର ବିରୋଧରେ ବିଜେଡି ନାରାବାଜି କରିଛି। ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିଶାନାରେ ରଖି ଦଳୀୟ ନେତା ସଭାରେ କେନ୍ଦ୍ର ସରକାରଙ୍କ ବିରୋଧରେ ଖୁବ୍‌ ଗର୍ଜିଛନ୍ତି।

ଦଳ ଅଭିଯୋଗ କରିଛି ଯେ କେନ୍ଦ୍ରର ତ୍ରୁଟିପୂର୍ଣ୍ଣ ତୈଳ ନୀତି ଯୋଗୁଁ ତେଲ ଦର ଉପର ମୁହାଁ ହୋଇଛି। ଏ ନେଇ ରାଷ୍ଟ୍ରପତିଙ୍କ ଉଦ୍ଦ୍ୟେଶରେ ରାଜ୍ୟପାଳଙ୍କୁ ଦାବିପତ୍ର ଦେବା ସହ ଦର ନ କମିଲେ ସମସ୍ତ ବ୍ଳକ୍‌ରେ ବିକ୍ଷୋଭ କରିବାକୁ ଦଳ ଚେତାବନୀ ଦେଇଛି। ମନ୍ତ୍ରୀ ପ୍ରଦୀପ ମହାରଥୀ ବି ନିଜ ଷ୍ଟାଇଲ୍‌ରେ କଟାକ୍ଷ କରିଛନ୍ତି।

ତେବେ ରାଜ୍ୟ ସରକାର କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ବିଜେପି କହିଛି। ନିକଟରେ ୪ଟି ରାଜ୍ୟ ତେଲ ଉପରେ ଟିକସ କମାଇଥିବା ବେଳେ ଓଡ଼ିଶା କାହିଁକି କମାଉ ନାହିଁ ବୋଲି ବିଜେପି ପ୍ରଶ୍ନ କରିଛି। କଂଗ୍ରେସ ମଧ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି।

ଆଗକୁ ନିର୍ବାଚନ ଆସୁଛି। ତେଣୁ ପେଟ୍ରୋଲ, ଡିଜେଲ୍ ଓ ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ଉଟିଙ୍କୁ ବାଧୁଥିବାରୁ ସେଥିରୁ ରାଜନୈତିକ ଫଇଦା ଉଠାଇବା ପାଇଁ ଭରପୁର ପ୍ରୟାସ କରୁଛି ବିଜେଡି। ତେବେ ଭୋଟର୍‌ଙ୍କ ଉପରେ ଏହାର କେତେ ପ୍ରଭାବ ପଡ଼ିବ ତାହା ଦେଖିବା ବାକି ରହିଲା।

You might also like