ଗଛ ତଳେ ରାତି କାଟିଲେ କରୋନା ସମ୍ମୁଖ ଯୋଦ୍ଧା

ପଦ୍ମପୁର(ବରଗଡ଼): ଯିଏ କରୋନା ମୁକାବିଲାର ସମ୍ମୁଖ ଯୋଦ୍ଧା, କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ହିଁ ଅବହେଳା କରାଯାଇଥିବା ଅଭିଯୋଗ ହୋଇଛି। ନା ତାଙ୍କୁ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି କରାଗଲା, ନା ଅନ୍ୟ କିଛି ପରାମର୍ଶ ଦିଆଗଲା। ସାରା ରାତି ହସ୍ପିଟାଲ ପରିସରରେ ଏକ ଗଛ ତଳେ ବସି ବସି ସମୟ କାଟିଲେ ଜଣେ ଅଙ୍ଗନଓ୍ୱାଡ଼ି କର୍ମୀ। ବରଗଡ଼ ଜିଲ୍ଲା ପଦ୍ମପୁରରୁ ଏହି ଅଭିଯୋଗ ଆସିଛି।

ଅଭିଯୋଗ ଅନୁସାରେ, ଅଏଁଲାଭଟା ଗାଁର ଜଣେ ଅଙ୍ଗନଓ୍ୱାଡ଼ି କର୍ମୀ ଅସୁସ୍ଥ ଅନୁଭବ କରିବାରୁ ଗତକାଲି ସେ ପଦ୍ମପୁର ହସ୍ପିଟାଲକୁ ଆସିଥିଲେ। କରୋନା ଟେଷ୍ଟ କରିବା ପରେ ତାଙ୍କର ରିପୋର୍ଟ ପଜିଟିଭ ଆସିଥିଲା। ଏହାପରେ ତାଙ୍କୁ କୋଭିଡ କେୟାରରେ ଭର୍ତ୍ତି କରାଯାଇନଥିଲା। ବରଂ ଡାକ୍ତର ଆସିବା ଯାଏ ତାଙ୍କୁ ଅପେକ୍ଷା କରିବାକୁ କୁହାଯାଇଥିଲା। ଏଥିପାଇଁ ହସ୍ପିଟାଲ ପରିସରରେ ତାଙ୍କୁ ସାରା ରାତି ଏକ ଗଛ ତଳେ ରହିବାକୁ ପଡ଼ିଥିଲା ବୋଲି  ସେ ଅଭିଯୋଗ କରିଛନ୍ତି।

ସେ ଜଣେ ଅଙ୍ଗନଓ୍ୱାଡ଼ି କର୍ମୀ ଭାବେ କରୋନାର ସମ୍ମୁଖ ଯୋଦ୍ଧା। ତାଙ୍କୁ ଯଦି ଏପରି ଅବହେଳା କରାଯାଉଛି, ସାଧାରଣ ଲୋକଙ୍କ ଅବସ୍ଥା କିପରି ହେଉଥିବ ବୋଲି ସେ ପ୍ରଶ୍ନ କରିଛନ୍ତି।

ଅନ୍ୟପକ୍ଷେ, ପଦ୍ମପୁର ଉପଖଣ୍ଡ ଚିକିତ୍ସାଧୀକାରୀ ତହସିଲ ସାହୁ କହିଛନ୍ତି, ସଂପୃକ୍ତ ଅଙ୍ଗନଓ୍ୱାଡ଼ି କର୍ମୀ କୋଭିଡ କେୟାରରେ ଭର୍ତ୍ତି ହୋଇପାରିବେ, ନ ହେଲେ ଯେଉଁ ମେଡିସିନ ଦିଆ ହୋଇଛି, ତାଙ୍କୁ ନେଇ ହୋମ୍ ଆଇସୋଲେସନରେ ମଧ୍ୟ ରହିପାରିବେ।

ଆଜି ବି ରାଜ୍ୟରେ ୧୧ ହଜାର ୪୯୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୬୪୩୯ ଜଣ ଓ  ଲୋକାଲ କେସ୍ ୫୦୫୯ ଜଣ ଚିହ୍ନଟ ହୋଇଥିବା ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୪୯୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ କଟକରୁ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ୧ ହଜାର ଉପରେ ରହିଛି। କଟକରୁ ୧୧୦୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୫ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୪୦୩ରେ ପହଞ୍ଚିଛି।

You might also like