ଆଗଧାଡ଼ି କରୋନା ଯୋଦ୍ଧାଙ୍କୁ ମିଳିଲା ଟିକା

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ଦିଆଯାଉଛି କୋଭିଡ୍ ଟିକା। କଟକ ଇନଡୋର ଷ୍ଟାଡିୟମ୍‌ରେ କରାଯାଇଥିବା ଟିକାକେନ୍ଦ୍ରରେ ଟିକା ନେଇଛନ୍ତି ପୋଲିସ ଡିଜି ଅଭୟ । ସୁଯୋଗ ମିଳିଲେ ଟିକା ନେବାକୁ ଲୋକଙ୍କୁ ଅପିଲ୍ କରିଛନ୍ତି ଡିଜିପି । ଟିକାକରଣ ସରକାରଙ୍କ ବଡ଼ ପଦକ୍ଷେପ।  ସମସ୍ତଙ୍କ ସମର୍ଥନ ଜରୁରୀ ବୋଲି ସେ କହିଛନ୍ତି । ଖାଲି ପୋଲିସ ଡିଜି ନୁହଁନ୍ତି, ବରିଷ୍ଠ ପୋଲିସ ଅଧିକାରୀଙ୍କ ସହିତ ସବୁ ଜିଲ୍ଲାର ଜିଲ୍ଲାପାଳ, ଏସ୍‌ପି ଏବଂ ବରିଷ୍ଠ ଅଧିକାରୀମାନେ ଟିକା ନେଉଛନ୍ତି । ଏମିତିକି ବରିଷ୍ଠ ଅଧିକାରୀମାନେ ଟିକା ନେବା ବେଳର ଫଟୋ ଟ୍ୱିଟରରେ ଅପଲୋଡ୍ କରିବେ । ଏହା ଦ୍ୱାରା ଲୋକେ ସଚେତନ ହେବେ, ସେମାନଙ୍କ ମନରୁ ଡର ଦୂର ହୋଇ ଆତ୍ମବିଶ୍ୱାସ ବଢିବ ବୋଲି ଆଶା କରାଯାଉଛି ।

ରାଉରକେଲାରେ ଚାଲିଛି ଟିକାକରଣ

ଆଜିଠାରୁ ଗୃହ, ନଗର ଉନ୍ନୟନ ବିଭାଗ ଓ ରାଜସ୍ୱ ବିଭାଗ ସମ୍ମୁଖ ଯୋଦ୍ଧାଙ୍କୁ ଟିକାପ୍ରଦାନ କରାଯାଉଛି । ଭୁବନେଶ୍ୱରରେ ହସ୍ପିଟାଲ ପରିବର୍ତ୍ତେ ବିଭିନ୍ନ କଲ୍ୟାଣ ମଣ୍ଡପ ଓ ଗୋଷ୍ଠୀକେନ୍ଦ୍ରରେ ଟିକା ଦିଆଯାଉଛି

ଅନ୍ୟପକ୍ଷେ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଚାଲିଛି କରୋନା ଟିକାକରଣ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଗଧାଡିର କରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଉଛି । ଏହି ପରିପ୍ରେକ୍ଷୀରେ, ବାଲେଶ୍ୱର ସହରର ଗାନ୍ଧି ସ୍ମୃତି ଭବନ ଓ ରିଜର୍ଭ ପୋଲିସ ପରିସରରେ ଦୁଇଟି ସ୍ଥାନରେ ଟିକାକରଣ କରାଯାଉଛି । ଏଥର ପ୍ରାୟ ୫ ଶହ ଆଗଧାଡିର କରୋନା ଯୁଦ୍ଧାଙ୍କୁ ଟିକା ଦିଆଯିବ।

ବାଲେଶ୍ୱରରେ ଦିଆଯାଉଛି କୋଭିଡ ଟିକା

ଗଙ୍ଗାଧର କଲ୍ୟାଣ ମଣ୍ଡପରେ ମ୍ୟୁନିସିପାଲିଟି କର୍ମଚାରୀଙ୍କୁ କରୋନା ଟିକା ଦିଆଯିବା ନେଇ ବ୍ୟବସ୍ଥା କରାଯାଇଛି । ଟିକା ନେବା ପାଇଁ ବିଭିନ୍ନ କେନ୍ଦ୍ରରେ ଆସି ପହଞ୍ଚୁଛନ୍ତି କରୋନା ଯୋଦ୍ଧା । ସେପଟେ, ସମ୍ବଲପୁରର ୪ଟି କେନ୍ଦ୍ରରେ ଟିକା ଦିଆଯାଉଛି । ସହରର ଡିଆରଡି ଅଫିସ୍ ପରିସରରେ ସମ୍ବଲପୁର ଜିଲ୍ଲାପାଳ ଓ ଏସ୍‌ପି ଟିକା ନେଇଛନ୍ତି। ଟିକାକରଣ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି।  ସମସ୍ତେ ଆସି ଟିକା ନେବାକୁ ଜିଲ୍ଲାପାଳ ଓ ଏସ୍‌ପି ପରାମର୍ଶ ଦେଇଛନ୍ତି ।

କୋଭିଡ ଟିକା ନେଉଛନ୍ତି ଡିଜିପି ଅଭୟ

ରାଉରକେଲା ସହରରେ ମଧ୍ୟ ଆଗ ଧାଡିର କରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଉଛି । ଛେଣ୍ଡର ଆହୁତିଭବନରେ ଟିକାକରଣ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ରାଉରକେଲା ଏଡିଏମ୍ ଅବୋଲି ସୁନିଲ ନରେୱଣେଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଟିକା ନେଉଛନ୍ତି ।

ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଝାରସୁଗୁଡା ଜିଲ୍ଲାର ପ୍ରଶାସନିକ ଅଧିକାରୀମାନେ ଟିକା ନେଉଛନ୍ତି । ଜିଲ୍ଲାର ଆଗଧାଡିର ୩ ହଜାର ୯୨୩ ଜଣ କରୋନା ଯୋଦ୍ଧାଙ୍କୁ ଟିକାକରଣ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଜିଲ୍ଲାପାଳ ସରୋଜ ସାମଲଙ୍କ ସମେତ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ, ପୋଲିସ ଅଧିକାରୀମାନେ ଟିକା ନେଇଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲାରେ ଆଗଧାଡିର କରୋନା ଯୋଦ୍ଧାଙ୍କୁ ଟିକାକରଣ କରାଯାଉଛି । ଜିଲ୍ଲାପାଳ ଅମ୍ରିତ ଋତୁରାଜ ପ୍ରଥମେ ଟୀକା ନେବା ପରେ ଅନ୍ୟ ଅଧିକାରୀମାନେ ଟିକା ନେଉଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ଜିଲ୍ଲାରେ ୩ହଜାର ୫୩୫ ଜଣଙ୍କୁ ଟିକା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି
ସେହିପରି ଆଜି ରାୟଗଡା ଜିଲ୍ଲାପାଳ,ଏସପିଙ୍କ ସମେତ ରାଜସ୍ୱ, ଗୃହ ଓ ନଗର ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀମାନେ ଟିକା ନେଇଛନ୍ତି । ରାୟଗଡାର ଅଶୋକ କଲ୍ୟାଣ ମଣ୍ଡପ ପରିସରରରେ ଅସ୍ଥାୟୀ ଟିକାକରଣ କେନ୍ଦ୍ରରେ ଏଥିପାଇଁ ବ୍ୟବସ୍ଥା ହୋଇଥିଲା। ପ୍ରଥମେ ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଟିକାଗ୍ରହଣ କରିଥିଲେ। ତା‘ ପରେ ପରେ ଏସପି ବିବେକାନନ୍ଦ ଶର୍ମା, ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା, ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଟିକା ନେଇଛନ୍ତି। ଟିକା ନେବା ପରେ ଏଥିରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନଥିବା ଏବଂ ସମସ୍ତେ ନିଶ୍ଚିନ୍ତରେ ଟିକା ନେବା ପାଇଁ ଜିଲ୍ଲାପାଳ ଓ ଏସପି କହିଛନ୍ତି।

You might also like