କେଉଁ ବ୍ୟକ୍ତିଙ୍କଠୁ ନିଆଯିବ ନମୂନା? ସହଯୋଗ ନକଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: କରୋନାର ହଟସ୍ପଟ୍ ରାଜଧାନୀ ଭୁବନେଶ୍ୱର। ରାଜ୍ୟରେ ଏଯାଏଁ ସଂକ୍ରମିତ ହୋଇଥିବା ୬୦ ଜଣଙ୍କ ମଧ୍ୟରୁ କେବଳ ଭୁବନେଶ୍ୱରର ସଂଖ୍ୟା ୪୬। ଏଠି ଜଣଙ୍କର ଜୀବନ ବି ନେଇଛି କରୋନା ଚିକିତ୍ସା ପରେ ୧୨ ଜଣ ସୁସ୍ଥ ହୋଇଥିବା ବେଳେ ଏବେ ବି ଆକ୍ଟିଭ୍ କେଶ୍ ରହିଛି ୩୩। ବଢୁଥିବା ସଂକ୍ରମଣକୁ ଚେକ୍ ଦେବାକୁ ଭୁବନେଶ୍ୱର ପାଇଁ ସରକାର କରିଛନ୍ତି ସ୍ପେଶାଲ୍ ଷ୍ଟ୍ରାଟେଜି। ଏହା ଅନୁଯାୟୀ ଆସନ୍ତା ସପ୍ତାହେ ଭିତରେ ଭୁବନେଶ୍ୱରେ ୫ ହଜାର ଯାଏଁ ନମୁନା ପରୀକ୍ଷା କରାଯିବ।

ଏଥିପାଇଁ ଲ୍ୟାବ୍‌ର ଉନ୍ନତିକରଣ ସହ ବିଭିନ୍ନ ସ୍ଥାନରେ କ୍ୟାମ୍ପ ଏବଂ ଭ୍ୟାନର ବୁଲି ସାମ୍ପଲ ସଂଗ୍ରହ କରାଯିବ। ଯେଉଁମାନେ ବିଦେଶରୁ କିମ୍ବା ରାଜ୍ୟ ବାହାରୁ ଫେରିଥିବେ, ଯାହାଙ୍କ କରୋନା ଲକ୍ଷଣ କିମ୍ବା କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବେ, ଗୁରୁତର ଶ୍ୱାସ ରୋଗୀ, ଥଣ୍ଡା, ସର୍ଦ୍ଦି ହୋଇଥିଲେ, ଦେଶର ବିଭିନ୍ନ ହଟସ୍ପଟରୁ ଫେରିଥିବା ଲୋକେ ଏବଂ ସାମାଜିକ ଦୂରତ୍ୱ ନମାନି ଚଳୁଥିବା ବ୍ୟକ୍ତିଙ୍କୁ ପ୍ରାଥମିକତା ଭିତ୍ତିରେ ନମୁନା ସଂଗ୍ରହ କରାଯିବ।

ଦ୍ୱିତୀୟରେ କୋଭିଡ୍ ହସ୍ପିଟାଲରେ କାର୍ଯ୍ୟରତ କର୍ମଚାରୀ, ସ୍ୱାସ୍ଥ୍ୟ କର୍ମୀ, ପୋଲିସ୍ ଓ ପରିମଳ କର୍ମଚାରୀ ରହିଛନ୍ତି। ତୃତୀୟରେ ୬୦ ବର୍ଷରୁ ଅଧିକ ବୟସ୍କ ଏବଂ ମଧୁମେହ, ହୃଦରୋଗୀ, କିଡନୀ, ଉଚ୍ଚ ରକ୍ତଚାପ ଭଳି ରୋଗରେ ଆକ୍ରାନ୍ତ ଏବଂ ଚତୁର୍ଥରେ ରାଣ୍ଡମ୍ ଟେଷ୍ଟ କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ତେବେ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଚିହ୍ନଟ ବ୍ୟକ୍ତି ଯଦି ନମୁନା ସଂଗ୍ରହରେ ସହଯୋଗ ନକରନ୍ତି ତେବେ ପୋଲିସର ହସ୍ତକ୍ଷେପ ଲୋଡ଼ାଯିବ।

ନମୁନା ସଂଗ୍ରହ ପ୍ରକ୍ରିୟାରେ ରାଜଧାନୀର ବିଭିନ୍ନ ସାହି ବସ୍ତିର ମୂରବୀ, ପୂଜା କମିଟି ଏବଂ ରେସିଡେନ୍ସ ୱେଲଫେୟାର ଆସୋସିଏନର କର୍ମକର୍ତ୍ତାଙ୍କୁ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ସରକାରଙ୍କ ଏଭଳି ପ୍ରସ୍ତାବକୁ ବିଭିନ୍ନ ବର୍ଗର ଲୋକେ ମଧ୍ୟ ସମର୍ଥନ କରିଛନ୍ତି।

ଭୁବନେଶ୍ୱରରେ ଏଯାଏଁ ଚିହ୍ନଟ ୪୬ ସଂକ୍ରମିତଙ୍କ ମଧ୍ୟରୁ ବମିଖାଲରେ ସର୍ବାଧିକ ୧୮, ସୂର୍ଯ୍ୟନଗରରେ ୮, ଝାରପଡ଼ାରେ ୬ ଓ ସତ୍ୟନଗରରେ ୪ ଜଣ ଅଛନ୍ତି। ସ୍ଥିତିକୁ ଦେଖି ବମିଖାଲ, ସୂର୍ଯ୍ୟନଗର ଏବଂ ସତ୍ୟନଗରକୁ କଣ୍ଟେନମେଣ୍ଟ ଜୋନରେ ରଖାଯାଇଛି।

 

You might also like