ଅମଳ ବେଳରେ ଚାଷୀକୁ ବର୍ଷା ଛନକା ; ଘୂର୍ଣ୍ଣିଝଡ଼ ପ୍ରଭାବରେ କାଲିଠୁ ୨ଦିନ ଧରି ବର୍ଷା

ଭୁବନେଶ୍ୱର : ଘୂର୍ଣ୍ଣିଝଡ଼ର ରୂପ ନେବାକୁ ଯାଉଛି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଡିପ୍ ଡିପ୍ରେସନ। ଘଣ୍ଟାକୁ ୧୦ କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ମାଡ଼ି ଆସୁଥିବା ଏହି ଡିପ୍ ଡିପ୍ରେସନ ଏବେ ମଛଲିପଟନମ୍‌ ଠାରୁ ୮୯୦ କିମି ଦୂରରେ ରହିଛି।

୧୭ ତାରିଖ ଅପରାହ୍ନରେ ଏହା କାକିନାଡ଼ା-ଅଙ୍ଗୋଲ୍ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହାର ପ୍ରଭାବରେ ଆସନ୍ତାକାଲି ଠାରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଯିବ ବର୍ଷା।

ବିଶେଷ କରି ଆସନ୍ତାକାଲି ଗଞ୍ଜାମ, ଗଜପତି, ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସେହିପରି ସୋମବାର ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବରଗଡ଼, ବଲାଙ୍ଗିର, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରିଛି IMD। ସେପଟେ ସମ୍ଭାବ୍ୟ ବର୍ଷା ନେଇ ଜିଲ୍ଲାପାଳମାନଙ୍କୁ ସତର୍କ କରାଯିବା ସହ ଫସଲ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଜଏଣ୍ଟ ରିଲିଫ୍ କମିଶନର।

ଏପଟେ ବର୍ଷା କଥା ଶୁଣି ତର ତର ହୋଇ ଜମିରୁ ଧାନ କାଟୁଛି ଚାଷୀ। ଧର୍ମଗଡ଼ ଅ଼ଞ୍ଚଳରେ ପାଣିରେ ଭାସିବା ପୂର୍ବରୁ ଯେନତେନ ପ୍ରକାରେ ସୁରକ୍ଷିତ ସ୍ଥାନକୁ ବୁହା ଚାଲିଛି ବର୍ଷ ଯାକର ପରିଶ୍ରମ।ଆଉ ଜୟପୁରରେ ଆକାଶରେ ମେଘ ଖଣ୍ଡ ଦେଖି ଚାଷୀ ଛାତିରେ ଛନକା ପଶିଲାଣି। କେହି କେହି ଅମଳ ଧାନ ଖଳାରେ ଖୋଲାରେ ପକାଇଛନ୍ତି ତ ଯେଉଁମାନେ ଧାନ କାଟି ଆଣିଥିଲେ, ସେମାନେ ଏବେ ମେସିନ୍ ଲଗାଇ ଯୁଦ୍ଧକାଳୀନ ଭିତ୍ତିରେ ଅମଳରେ ବ୍ୟସ୍ତ। ଆଉ ମଣ୍ଡିକୁ ଧାନ ଆଣିଥିବା ଚାଷୀଙ୍କର ଟେନସନ୍ ବଢିଲାଣି।

ଘୂର୍ଣ୍ଣିଝଡ଼ର କେତେ ପ୍ରଭାବ ପକାଇବ ଏବେଠୁ ଜଣାପଡ଼ିନଥିଲେ ବି ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି। ତାସହ ରାଜ୍ୟର ସବୁ ବନ୍ଦରରେ ୧ନମ୍ବର ସତର୍କ ସଂକେତ ଜାରି ହୋଇଛି।

 

You might also like