କାଲିଠୁ ଲକଡାଉନ୍‌ ଓଡ଼ିଶା: ଜାଣନ୍ତୁ କଣ ଖୋଲା ରହିବ ଓ କଣ ବନ୍ଦ ରହିବ

୧୪ ଦିନିଆ ଲକଡାଉନ୍‌

ଭୁବନେଶ୍ୱର: ଆସନ୍ତାକାଲିଠୁ ସାରା ରାଜ୍ୟରେ ଲାଗୁ ହେବ ଲକଡାଉନ୍‌। ୫ ତାରିଖରୁ ୧୯ ତାରିଖ ଯାଏ ରାଜ୍ୟରେ ୧୪ ଦିନିଆ ଲକଡାଉନ୍‌ ଲାଗିବ। ବଢ଼ୁଥିବା କରୋନା ସଂକ୍ରମଣରେ ବ୍ରେକ୍ ଦେବାକୁ କଟକଣା ଲାଗିବ। ଏନେଇ ସମସ୍ତ ପ୍ରକାର ବ୍ୟବସ୍ଥା ସରିଛି। ଟ୍ୱିନ୍‌ସିଟି ସମେତ ରାଜ୍ୟର ପ୍ରମୁଖ ସହର ଓ ଗ୍ରାମାଞ୍ଚଳରେ କଡ଼ାକଡ଼ି ଯାଞ୍ଚ ଆରମ୍ଭ ହେବ। ଏହାସହ ଜିଲ୍ଲା ଓ ରାଜ୍ୟର ପ୍ରବେଶ ପଥରେ ଚେକିଂକୁ ବଢ଼ାଇ ଦିଆଯାଇଛି। ଅନ୍ୟପଟେ ଲକ୍‌ଡାଉନ୍‌ ପୂର୍ବରୁ ଭୁବନେଶ୍ୱର, କଟକ ସମେତ କିଛି ସହରରେ ଭିଡ଼ ଦେଖିବାକୁ ମିଳିଛି। ଲୋକେ ଘରକରଣା ସାମଗ୍ରୀ କିଣିବାକୁ ଲମ୍ବା ଲାଇନରେ ଛିଡ଼ା ହୋଇଥିବା ଦୃଶ୍ୟ ସାମ୍ନାକୁ ଆସିଛି । ତେବେ ଏପରି ନକରିବାକୁ ନିବେଦନ କରିଛନ୍ତି ସ୍ୱତନ୍ତ୍ର  ରିଲିଫ କମିଶନର ପ୍ରଦୀପ ଜେନା।

ଅତ୍ୟାବଶ୍ୟକୀୟ ସାମଗ୍ରୀ କ୍ରୟ ପାଇଁ କୌଣସି ଅସୁବିଧା ହେବନି। ଲୋକେ ବ୍ୟଗ୍ର ହୋଇ ଦୋକାନରେ ଗହଳି କରନ୍ତୁ ନାହିଁ ବୋଲି ସେ ଅପିଲ୍ କରିଛନ୍ତି। ଲକଡାଉନ୍‌ରେ ରାଜ୍ୟବ୍ୟାପୀ ସମସ୍ତ ଆହାର କେନ୍ଦ୍ର ଖୋଲା ରହିବ। ଅବଶ୍ୟ, ଆହାର କେନ୍ଦ୍ରରେ ଖାଇବା ମନା ହୋଇଥିବା ବେଳେ କେବଳ ପାର୍ସଲ ନେଇପାରିବେ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି। ସେପଟେ IIT, IIM ଭଳି କେନ୍ଦ୍ର ସରକାରଙ୍କ ଅନୁଷ୍ଠାନରେ ଖୋଲା ରହିବ ହଷ୍ଟେଲ।

ତେବେ ଲକଡାଉନ୍‌ ପାଇଁ ହାଟ ଭିତରେ ହାଉଜାଉ ଖାଉଟି। କାରଣ ଦିନକ ପରେ ଆରମ୍ଭ ହେଉଛି ଲକଡାଉନ୍‌। ଆଉ ସେହି ଲକଡାଉନ୍‌ ପୂର୍ବରୁ ଅନେକ ସ୍ଥାନରେ ଚାଲିଛି ଗ୍ରାହକଙ୍କ ସାହାଣ ମେଳା। ସୋରିଷ ପକାଇବାକୁ ବି ଜାଗା ନାହିଁ। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି କଟକ ମାଲଗୋଦାମରେ। ଯେଉଁଠି ସାମାଜିକ ଦୂରତ୍ୱକୁ ପଛରେ ପକାଇ କିଏ ଆଳୁ ପିଆଜ ପାଇଁ ତ ଆଉ କିଏ ଅନ୍ୟ ସାମଗ୍ରୀ ପାଇଁ ଭିଡ଼ ଲଗାଇଛନ୍ତି। କାରଣ ମନରେ ଆଶଙ୍କା, ଦିନକ ପରେ ହୁଏତ ଦରଦାମ୍ ବଢ଼ି ଯାଇପାରେ। ତେଣୁ କିଏ ସାତ ଦିନ ପାଇଁ ତ ଆଉ କିଏ ୧୪ ଦିନ ପାଇଁ ବୋହି ନେଉଛନ୍ତି ସଉଦା। ସେହି ମଉକାରେ ବ୍ୟବସାୟୀ ବି ଦର କଷୁଥିବା ଅଭିଯୋଗ ହୋଇଛି।

ରାଜଧାନୀରେ ଚିତ୍ର ବି ସମାନ। ବିଭିନ୍ ସପିଂ ମଲରେ ଦେଖିବାକୁ ମିଳିଛି ଜୋରଦାର ଗହଳି। ଏଠି ସଉଦା ପାଇଁ ଲୋକମାନେ ଲଗାଉଛନ୍ତି ଲମ୍ବାଲାଇନ୍। କିଏ ଅଧ ଘଣ୍ଟା ହେଲାଣି ଧାଡ଼ିରେ ଅଛନ୍ତି ତ ଆଉ କିଏ ଘଣ୍ଟାଏ ହେଲାଣି ଛିଡ଼ା ହୋଇଛନ୍ତି। ସମସ୍ତଙ୍କ ଭିତରେ ସେହି ଲକଡାଉନ୍‌ ଆତଙ୍କ। ସେହିପରି କଟକର ଏକ ଅଣ ଓସାରିଆ ଦୋକାନ ଭିତରେ ମୁଣ୍ଡ ପୁରାଇ ମଦ ନେବାକୁ ଭିଡ଼ ଲଗାଇଛନ୍ତି ୭/୮ ଜଣ ଲୋକେ। ଭୁବନେଶ୍ୱରରେ ତ କିଏ କାର୍ଟୁନ୍ କାର୍ଟୁନ୍, ତ ଆଉ କିଏ ଡବଲ୍ ବ୍ୟାଗରେ ଭର୍ତ୍ତି କରି ନେଉଛନ୍ତି ମଦ। ଗଡ଼ ଜିତିଲା ଭଳି ଖୁସିରେ ଗଦ୍ ଗଦ୍ ଗ୍ରାହକ। କାରଣ ବୁଧବାରଠୁ ୧୪ ଦିନ ଯାଏଁ ବନ୍ଦ ରହିବ ମଦ ଦୋକାନ। ସେ ସମୟର ଚାହିଦା ମେଣ୍ଟାଇବାକୁ ଏକା ସଙ୍ଗେ ମଦ ବୋହି ନେଉଛନ୍ତି ଗ୍ରାହକ। ପଚାରିଲେ ଅଜବ ଉତ୍ତର ଦେଉଛନ୍ତି। ତେବେ ଲକଡାଉନ୍‌ରେ ଅତ୍ୟାବଶ୍ୟକ ସାମଗ୍ରୀ ମିଳିବ ବୋଲି ସରକାର ସ୍ପଷ୍ଟ ପୂର୍ବରୁ ସ୍ପଷ୍ଟ କରିଛନ୍ତି।

You might also like